-
ରାଜ୍ୟ ସଭାପତି, ବିରୋଧୀ ଦଳ ନେତାଙ୍କ ସମେତ ବହୁ ନେତୃବୃନ୍ଦ ଜଣାଇଲେ ଶୋକ
ଭୁବନେଶ୍ୱର, ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ତଥା ପୂର୍ବତନ ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଶ୍ରୀ ଶରତ ମିଶ୍ରଙ୍କ ଆଜି ୮୮ ବର୍ଷ ବୟସରେ ଡେଙ୍ଗୁ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତଃ ମିଶ୍ର ୧୯୫୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଥିଲେ । ଦୀର୍ଘ ସମୟ ଧରି ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (ଆର ଆଣ୍ଡ ଏଡବ୍ଲ୍ୟୁ) ରେ କାର୍ଯ୍ୟ କରିଥିଲେ । ଅବିସ୍ମରଣୀୟ ଅଖଣ୍ଡତା ସହିତ ଜଣେ ଅଧିକାରୀ ଭାବରେ ବର୍ଣ୍ଣିତ ମିଶ୍ର ଅବସର ପରେ ପଢିବା, ଲେଖିବା ଏବଂ ଶିକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସ୍ୱର୍ଗତଃ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।