-
ରାଜ୍ୟରେ ଏକ ମହିଳା, ଯୁବ, ଛାତ୍ର, କୃଷକ, ଶିଳ୍ପ ବିରୋଧୀ ଶାସନ ଚାଲିଛି
-
ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବାହାର ରାଜ୍ୟର ଦଲାଲ୍ମାନେ ବେଆଇନ ଭାବେ ଦାଦନ ର୍ୟାକେଟକୁ ବାସ୍ତବ ରୂପ ଦେଉଛନ୍ତି
-
ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ
-
ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ ହେବ
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସୋନପୁର, ବିରମହାରାଜପୁରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗ ଦେଇ କଳସରେ ମାଟି ସଂଗ୍ରହ କଲେ ରାଜ୍ୟ ସଭାପତି
ବଲାଙ୍ଗୀର / ଭୁବନେଶ୍ୱର, ଅପାର ସମ୍ଭାବନା ଥିବା ଓଡିଶାରେ ଆଜି ବିକାଶ ବାଧାପ୍ରାପ୍ତ ହୋଇଛି । ଶିଳ୍ପ, କୃଷି, ଜଳସେଚନ କେଉଁଥିରେ ବି ବିକାଶ ହେଉନାହିଁ । ସ୍ୱାସ୍ଥ୍ୟ, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ପାଖାପାଖି ୧.୫ କୋଟି ଓଡିଆ ଆଜି ଅନ୍ୟତ୍ର ଦାଦନ ଖଟିବାକୁ ଯାଇଛନ୍ତି । ଦାଦନମାନଙ୍କ ପାଇଁ ଓଡିଶାରେ କଡା ଆଇନ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ଏବଂ ଦାଦନ ଶ୍ରମିକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । କରୋନା ସଂକଟ ସମୟରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କ ତଥ୍ୟ ଜାଣିଶୁଣି ରଖିଲେ ନାହିଁ ସରକାର । ୨୫ଲକ୍ଷ ଗଣତି ପରେ ତାଲିକା ପ୍ରସ୍ତୁତ ବନ୍ଦ ହୋଇଗଲା । ସାରା ରାଜ୍ୟରେ ଏହି ସମସ୍ୟା ଉତ୍କଟ ହୋଇପଡିଥିବାବେଳେ ବିଶେଷ ଭାବେ ବଲାଙ୍ଗୀର, ନୂଆପଡା, କଳାହ।।ଣ୍ଡି ଜିଲ୍ଲାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବାହାର ରାଜ୍ୟର ଦଲାଲ୍ମାନେ କଂଟାବାଞ୍ଜି, ଟିଟିଲାଗଡ, ବଲାଙ୍ଗୀର, ଭବାନୀପାଟଣା ଆଦି ଅଂଚଳରେ ମାସ ମାସ ଧରି ହୋଟେଲରେ ରହି ବେଆଇନ ଭାବେ ଦାଦନ ର୍ୟାକେଟକୁ ବାସ୍ତବ ରୂପ ଦେଉଛନ୍ତି । ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବଲାଙ୍ଗୀରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ର ବିପଦରେ ପଡିଥିବାବେଳେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ କରି ରଖାଯାଉଛି । ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ । ଗୃହବନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସିକ୍ୟୁରିଟି ଗାର୍ଡ ତାଗିଦ୍ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଓଡିଶାରେ ଏକ ରାଜନୈତିକ ସରକାର ସ୍ଥାପନ କରବାକୁ ଚାହୁଁଛି ବିଜେପି । ସେହି ପରିବର୍ତନର ଦାୟିତ୍ୱ ଏଥର ସାଧାରଣ ଲୋକେ ନେବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ଭବ ହୋଇଛି । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀଭାବରେ ଗର୍ବ ଅନୁଭବ କରୁଛେ । ମୋଦିଜୀ ୭୫ଲକ୍ଷ ଭଉଣୀ, ମାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ନିଷ୍ପତି ନେଇଛନ୍ତି । ଦେଶର ୧୦କୋଟି ୭୫ଲକ୍ଷ ଭଉଣୀମାନେ ବିନା ମୂଲ୍ୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ୫୩ ଲକ୍ଷ ହିତାଧିକାରୀ ଅଛନ୍ତି । କରୋନା ମହାମାରୀ ସଂକଟ ସମୟରେ ଦେଶରେ ୮୦କୋଟି ଲୋକ ଓ ଓଡିଶାରେ ୩କୋଟି ୨୫ଲକ୍ଷ ଲୋକଙ୍କୁ ୨୮ମାସ ଧରି ମାଗଣା ରାସନ ପ୍ରଦାନ କରିଛନ୍ତି ମୋଦିଜୀ । ମୋଦିଜୀଙ୍କ ପାଇଁ ଭାରତରେ ୫୨କୋଟି ବ୍ୟାଙ୍କ ଆକାଉଂଟ ଖୋଲିବାରେ ମହିଳାମାନେ ସକ୍ଷମ ହୋଇଛନ୍ତି । ପୂର୍ବଦ୍ୟୋୟର ବିକାଶକୁ ଗୁରୁତ୍ୱ ଦେଉଥିବା ମୋଦି ସରକାର ଗତ ୯ବର୍ଷ ଧରି ପୂର୍ବାଂଚଳ ଓ ବିଶେଷ ଭାବେ ଓଡିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାର ବିକାଶ, ଗରୀବ କଲ୍ୟାଣ ଏବଂ ଜଳସେଚନ, ପର୍ଯ୍ୟଟନ ବିକାଶ, ଜାତୀୟ ରାଜପଥର ଓ ରେଳପଥ ଉନ୍ନତୀକରଣ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କ୍ରିୟାନ୍ୱୟନ ପାଇଁ ଓଡ଼ିଶାକୁ ଦେଇଛନ୍ତି । ମୋଦିଜୀଙ୍କ ଐତିହାସିକ ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ବଲାଙ୍ଗୀର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବଲାଙ୍ଗୀର ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ସରକାର ସେହି ଟଙ୍କାରେ କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି । ବିନା ପିସିରେ କୈାଣସି କାର୍ଯ୍ୟ ହେଉନାହିଁ । ‘୫-ଟି ଦୁର୍ନୀତିର ଗନ୍ତାଘର ସାଜିଛି’ । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ଦୁର୍ନୀତି, ଭ୍ରଷ୍ଟାଚାର ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି । ଓଡିଶା ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟରେ ଏକ ମହିଳା, ଯୁବ, ସୈନିକ, ଛାତ୍ର, କୃଷକ, ଶିଳ୍ପ ବିରୋଧୀ ଶାସନ ଚାଲିଛି । ଛାତ୍ରମାନଙ୍କୁ ଭୟ କରୁଥିବା ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ଭୟ କରୁଛି । ୨୩ ବର୍ଷ ଶାସନରେ ଗୋଟିଏ ଇଂଚ ଜମିକୁ ଜଳସେଚିତ କରିପାରିଲେ ନାହିଁ ଶାସକ ବିଜେଡି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ଅନେକ କୃଷକକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିଛନ୍ତି । ଧାନର ଏମ୍ଏସ୍ପି କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । ପିଏମକିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି ମୋଦି ସରକାର । ମାତ୍ର ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କୁ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର । ଏପରିକି କଟନୀ ଛଟନୀ, ଅବ୍ୟବସ୍ଥିତ ଧାନ ମଣ୍ଡି, ଅଭାବୀ ବିକ୍ରୀର ଶିକାର ହୋଇ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡ଼ିଶାରେ ନିର୍ବାଚିତ ସରକାର ଅଛି ବୋଲି ଲୋକେ ଅନୁଭବ କରୁନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ କରାଯିବ । ବିଶେଷ ଭାବେ ଶିକ୍ଷକ, ଡାକ୍ତର ଅଭାବକୁ ଦୁର କରାଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳଜୀ ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ସ୍ୱାଗତ କରାଯିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଥିଲେ । ଏହା ପରେ ଶ୍ରୀ ସାମଲ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସମୀକ୍ଷା କରିଥିଲେ ।