ଗଂଗଟକ,ପାଗରେ ସୁଧାର ଆସିବା ପରେ ଉତର ସିକ୍କିମର ବନ୍ୟା ପ୍ରଭାବିତ ଅଂଚଳରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସୋମବାର ସକାଳେ ଲାଚେନ ଏବଂ ଲାଚୁଂଗରୁ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତ ୩-୪ ଅକ୍ଟୋବର ରାତିରେ ଉତର ସିକ୍କିମରେ ହ୍ଲୋନାକ ହ୍ରଦ ଫାଟିବା ପରେ ତିସ୍ତା ନଦୀରେ ଅଚାନକ ବନ୍ୟା ଆସିଥିଲା । ଯାହାକି ସେଠାରେ ଭୀଷଣ ବିପର୍ଯ୍ୟୟ ଘଟାଇଥିଲା । ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । ତିସ୍ତା ନଦୀରେ ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟା ଉତର ସିକ୍କିମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ କେତେକ ସ୍ଥାନରେ ନଷ୍ଟ କରିଛି । ଯେଉଁଥିପାଇଁ ଉତର ସିକ୍କିମରୁ ରାଜ୍ୟର ଅନ୍ୟ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଏହି ବିପର୍ଯ୍ୟୟ ଯୋଗୁଁ ଉତର ସିକ୍କିମର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଲାଚେନ, ଲାଚୁଂଗ, ଚୁଂଗଥାଂଗ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଗତ ୪ ତାରିଖ ଠାରୁ ଫସି ରହିଥିଲେ । ଉତର ସିକ୍କିମର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୦୦୦ ପର୍ଯ୍ୟଟକ ଏବଂ ପ୍ରାୟ ୮୦୦ ଡ୍ରାଇଭରଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ପାଗ ଖରାପ ଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଘଟଣାର ୬ ଦିନ ପରେ ଆଜି ପାଗ ଅନୁକୂଳ ହେବା ପରେ ଭାରତୀୟ ସେନାର ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।