ଭୁବନେଶ୍ୱର, ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ସୋମବାର ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗ ଦପ୍ତରରେ ଶ୍ରୀ ସେଠୀଙ୍କୁ ବିଭାଗୀୟ ପଦାଧିକାରୀମାନେ ସ୍ୱାଗତ ଜଣାଇଥିଲେ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ କଲ୍ୟାଣମୂଳକ ଯୋଜନା ବାବଦରେ ଶ୍ରୀ ସେଠୀ ଅବଗତ ହୋଇଥିଲେ । ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଅଧିକାରୀ ତଥା କର୍ମଚାରୀମାନେ ସ୍ୱଚ୍ଛତା ଓ ପ୍ରତିବଦ୍ଧତା ନେଇ କ୍ରିୟାଶୀଳ ହେବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ । ମଧୁବାବୁ ପେନ୍ସନ ଯୋଜନା, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରମୁଖ ଶାସନ ସଚିବ କହିଥିଲେ । ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ସମେତ ଅତିରିକ୍ତ ଶାସନ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ ।