କନ୍ଧମାଳ,ଜିଲା ରେଲୱେ କ୍ରିୟାନୁଷ୍ଠାନ କମିଟି, କନ୍ଧମାଳ ପକ୍ଷରୁ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ସଂଯୋଗ ନେଇ ଆନ୍ଦୋଳନ କରିବାକୁ ବନାନୀ କଳାସଙ୍ଗମ ଠାରେ ଶନିବାର କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ଵରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର – ସମ୍ବଲପୁର ଭାୟା ଫୁଲବାଣୀ ପ୍ରସ୍ତାବିତ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୮ ମସିହାରୁ ଜନସାଧାରଣଙ୍କ ଦାବୀ ଅନୁସାରେ ଫୁଲବାଣୀ ସଦର ମହକୁମା ଦେଇ ରେଲୱେ ଲାଇନ ଯିବ ବୋଲି ୱେବ ସାଇଟରେ ପ୍ରଦର୍ଶିତ ହୋଇଥିଲା। କିନ୍ତୁ, ହଠାତ ରେଳ ୱେବସାଇଟରେ ଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଫୁଲବାଣୀ ସଦର ମହକୁମାକୁ ରେଳ ଲାଇନ ଛୁଇଁବ ନାହିଁ ବୋଲି ଜଣାପଡିବା ପରେ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ କରାଯାଇ ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଛି। ଆସନ୍ତା ୧୭ ତାରିଖରେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ଏକ ସମନ୍ଵୟ ବୈଠକ କରିବାକୁ ସ୍ଥିର ହୋଇଛି। ପରବର୍ତ୍ତୀ ସମୟରେ ରାଜନୈତିକ ବ୍ୟକ୍ତିଙ୍କ ସହ ଆଲୋଚନା କରାଯିବ। ଏକ ଶୋଭାଯାତ୍ରା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ଗଣଧାରଣା ଓ ପ୍ରତିବାଦ ସଭା କରାଯିବାକୁ ସ୍ଥିର କରାଯାଇଛି। ପୋଷ୍ଟର ବ୍ୟାନର ଲଗାଇ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ଅବସରରେ ମିଳିତ ନାଗରିକ କମିଟିର ଡଃ. ଅରୁପ କୁମାର ଜେନା, ସାମ୍ବାଦିକ ସୁନିଲ ପଟ୍ଟନାୟକ, ଆଇନଜୀବି ବିଜୟ ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ, ରମେଶ ମହାନ୍ତି, ରବୀନ୍ଦ୍ର ନାଥ ମିଶ୍ର, ନାରାୟଣ ସାହୁ, ବ୍ରଜ ପଟ୍ଟନାୟକ, ସତ୍ୟପ୍ରିୟ ମହାନ୍ତି, ପ୍ରଣବ ମଣ୍ଡଳ, ଅବନିକାନ୍ତ କହଁର, ଟି. ରାଜଗୋପାଳ ପାତ୍ର, ପଦ୍ମ ଚରଣ ସ୍ଵାଇଁ, ପଦ୍ମ ଚରଣ ସାହୁ, ପ୍ରଶାନ୍ତ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ନବୀନ କିଶୋର ପଣ୍ଡା, ମନୋଜ ଚୌଧୁରୀ, ପ୍ରମୋଦ ସାହୁ, ପ୍ରଭାକର ପାଳ, ଅନିରୁଦ୍ଧ ବେହେରା, ବନବିହାରୀ ନନ୍ଦ, ପ୍ରଦ୍ୟୁମ୍ନ ପଣ୍ଡା ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ହୋଇ ଆଗାମୀ ପଦକ୍ଷେପ ସମ୍ପର୍କରେ ମତାମତ ଦେଇଥିଲେ।
କାର୍ଯ୍ୟକ୍ରମକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା ପରିଚାଳନା କରିଥିଲେ। ଉପସ୍ଥିତ ସଦସ୍ୟମାନେ ଆଗାମୀ କାର୍ଯ୍ୟକ୍ରମ କରିବା ପାଇଁ ୧୫ ହଜାର ଟଙ୍କା ଆର୍ଥିକ ସହଯୋଗ କରିଥିଲେ।