ଗଞ୍ଜାମ, ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ବିଚାରଣା କରି ସ୍ଵତନ୍ତ୍ର ଜଜ୍ (ପୋକସୋ) ପ୍ରଭାତ କୁମାର ରାଜଗୁରୁ ଆଜି ଏନେଇ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ତାରାସିଂ ଥାନା ଅଂଚଳର ପ୍ରଶାନ୍ତ ପ୍ରଧାନ (୬୨) । ଅନ୍ୟପକ୍ଷରେ ପୀଡ଼ିତ ନାବାଳକଙ୍କୁ ୨ ଲକ୍ଷ ୬୨ ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ)ଙ୍କୁ ମଧ୍ୟ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ତାରାସିଂ ଥାନା ଅଂଚଳର ଜଣେ ନାବାଳକ ସଂନ୍ଧ୍ୟାରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବୃଦ୍ଧ ଜଣକ ତାଙ୍କୁ ବାହାନା କରି ତାଙ୍କ ଘରକୁ ଡାକି ନେଇ ତାଙ୍କ ବଳପୂର୍ବକ ତାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ପରେ ପୀଡ଼ିତ ନାବାଳକଙ୍କ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ତାରାସିଂ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପୋଲିସ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।