ବଲାଙ୍ଗିର, ଠେଙ୍ଗା ପାଳିର ଗାଁ କଂଟାପାଲି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ପଂଚାୟତରେ ଅବସ୍ଥିତ । ଶହେରୁ ଉର୍ଦ୍ଧ୍ଵ ପରିବାର ଛଅ ଶହ ପାଖାପାଖି ଲୋକ ସଂଖ୍ୟା ବିଶିଷ୍ଟ ଏହି ଗାଁରେ ତିନି ଚାରି ଜଣ ଚାକିରିଆଙ୍କୁ ଛାଡିଦେଲେ ବାକି ସମସ୍ତେ ଚାଷୀ ମୂଲିଆ ଶ୍ରେଣୀର ।
ଠେଙ୍ଗା ପାଳିର ତାତ୍ପର୍ଯ୍ୟ ହେଲା ଗାଁର ଦୁଇଟି ପରିବାରରୁ ଦୁଇ ଜଣ ଦିନେ ଲେଖାଏଁ ଜଙ୍ଗଲ ଜଗୁଆଳି ଭାବରେ ଜଙ୍ଗଲକୁ ଯିବେ, ସନ୍ଧ୍ୟାରେ ଯାହା ଘରକୁ ଠେଙ୍ଗା ଆଉ ଟର୍ଚ୍ଚ ଯାଏ ସକାଳେ ସେ ଯିବ ଜଙ୍ଗଲକୁ ଜଗୁଆଳି ଭାବରେ, ଦିନ ଯାକର ଜଙ୍ଗଲ ସୁରକ୍ଷା କରିବାର ଦାୟିତ୍ଵ ତାର । ଖରା, ବର୍ଷା, ଶୀତ ଯାହା ହେଉନା କାହିଁକି ନିଜ ଦାୟିତ୍ଵ ସୁଚାରୁ ରୂପେ ତୁଲେଇବାକୁ ପଡେ । ଏଇଟା ଆଜି କାଲିର ନୁହେଁ, ଅଜା ପଣଅଜା ଅମଳରୁ ଚାଲି ଆସୁଛି । ଗାଁର ପରମ୍ପରା କହିଲେ ଚଳେ । ଯେଉଁ ଦିନ ଯାହାର ପାଳି ଥାଏ, ପଖାଳ ଗଣ୍ଡେ ଖାଇ ସକାଳୁ ସକାଳୁ ବାହାରି ଯାଆନ୍ତି ଜଙ୍ଗଲ ଅଭିମୁଖେ । ଜଙ୍ଗଲ ଆରମ୍ଭ ହେବାମାତ୍ରେ କାହିଁ କେଉଁ ଆବାହମାନ କାଳରୁ ମହୁଲ ଗଛ ମୂଳେ ବସିରହିଛନ୍ତି ଗାଁର ଇଷ୍ଟ ଦେବତା ବରପାହାଡ଼ ବୁଢା ଆଉ ଇଷ୍ଟ ଦେବୀ ମା ଦଶମତି । ଠାକୁରଙ୍କୁ ଜୁହାରଟିଏ ହୋଇ ଜଙ୍ଗଲ ଭିତରକୁ ପ୍ରବେଶ କରନ୍ତି, ବାରଶହ ହେକ୍ଟର ପରିମିତ ବିରାଟ ଘଂଚ ଜଙ୍ଗଲ ଶାଳ, ପିଆଶାଳ, ମହୁଲ, ଚାର, କେନ୍ଦୁ, ଧଉରା ଆଦି କିସମର ଗଛଲତା ଗୁଳ୍ମରେ ଭରପୁର । ହାତୀ, ଭାଲୁ, ବାରହା, ହରିଣ, କୁଟୁରା, ଠେକୁଆ, ହେଟାବାଘ, ମୟୁର, ଅଜଗର ଇତ୍ୟାଦି ଜୀବଜନ୍ତୁ, ସରୀସୃପ ମାନଙ୍କର ଚଳପ୍ରଚଳ ସବୁବେଳେ ଲାଗିରହିଥାଏ । ସମୟେ ସମୟେ ଜଙ୍ଗଲୀ ଜନ୍ତୁ ମାନଙ୍କର ଆକ୍ରମଣର ଶିକାର ହେବାର ଅନେକ ନଜିର ରହିଛି । ହାତୀ ଆକ୍ରମଣରେ ଜଣକର ଜୀବନ ମଧ୍ୟ ସାତ ଆଠ ବର୍ଷ ତଳେ ଚାଲି ଯାଇଛି, ପୁଣି ମଝିରେ ମଝିରେ କାଠ ମାଫିଆ ମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡିଥାଏ । ଥରେ ତ କାଠ ମାଫିଆ ମାନଙ୍କ ପାଲଟା ଅଭିଯୋଗରେ ଗାଁ ର କିଛି ଲୋକ ବର୍ଷାଧିକ କାଳ ଜେଲ୍ ଦଣ୍ଡ ମଧ୍ୟ ଭୋଗିଛନ୍ତି ତଥାପି ଲୋକଙ୍କ ଜଙ୍ଗଲ ସୁରକ୍ଷାର ନିଶା ଉତୁରି ନାହିଁ କି କମି ନାହିଁ, କାହିଁକି ନା ପ୍ରାୟ ଲୋକଙ୍କ ପେଟ ପାଟଣା ଜୀବିକା ଏହି ଜଙ୍ଗଲ ଉପରେ ହିଁ ନିର୍ଭର କରେ । ଶାଳ ପତ୍ରରେ ଖଲିଦନା, ମହୁ, ଝୁଣା, ଚାର, ମହୁଲ, ଛତୁ, ଝାଡୁ, କେନ୍ଦୁପତ୍ର ସଂଗ୍ରହ କରି ପରିବାର ଚଳେଇ ଥାନ୍ତି ।
ଆଉ ଗୋଟିଏ ଖୁସିରକଥା ବେଳେ ବେଳେ ସୁଦୂର ଆମେରିକା, ଜର୍ମାନ, ସୁଇଜରଲ୍ୟାଣ୍ଡ, ଆଫ୍ରିକା ଭଳି ବିଭିନ୍ନ ଦେଶର ପ୍ରକୃତି ପ୍ରେମୀ ମାନେ ଏଠାକୁ ଆସିଥାନ୍ତି ଜଙ୍ଗଲ ଭିଜିଟରେ । ପୁରା ଜଙ୍ଗଲ ବୁଲନ୍ତି, ଫୋଟୋ ଉଠାନ୍ତି, ଡକୁମେଂଟାରୀ ଫିଲ୍ମ ବନେଇ ଥାନ୍ତି, ଗାଁର ଏକତା ଜଙ୍ଗଲ ପ୍ରତି ଭଲ ପାଇବା ଦେଖି ଭୁରି ଭୁରି ପ୍ରଶଂସା କରି ଯାଆନ୍ତି । ଏହି ମହତ୍ କାମ ପାଇଁ ଓଡିଶା ସରକାରଙ୍କ ”ପ୍ରକୃତି ମିତ୍ର ”ପୁରସ୍କାର ସାଙ୍ଗକୁ ବହୁ ପୁରସ୍କାର ମିଳିଛି । ଏସବୁ କାର୍ଯ୍ୟ ଦେଖି ସମସ୍ତଙ୍କ ମୁହଁରୁ ଆପେ ବାହାରି ଆସେ ”ଠେଙ୍ଗା ପାଳିର ଗାଁ କଂଟାପାଲି ” ।