ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଅରବିନ୍ଦନଗର ନିବାସୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବିଏସକେୱାଇ ଟିମ୍ ତରଫରୁ ତାଙ୍କର ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ତାଙ୍କର ଧର୍ମପତ୍ନୀ ଭାଗ୍ୟଶ୍ରୀ ପାତ୍ର ଏବଂ ପୁତ୍ରଙ୍କ ସହ ଯୋଗାଯୋଗ କରାଯାଇ ସ୍ଥିତିର ଅନୁଧ୍ୟାନ କରାଯାଇଥିଲା ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୧୧୨୭୦୬୧୧୩୧୭ ନମ୍ବର କାର୍ଡରେ ବିଏସକେୱାଇ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଡ ମାଧ୍ୟମରେ ସେ ଭୁବନେଶ୍ୱର ସ୍ଥିତ କେଆର ଏବଂ ସମ୍ ଅଲ୍ଟିମେଟ୍ ଆଦି ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ଏକାଧିକ ବାର ମାଗଣା ଚିକିତ୍ସା ପାଇଛନ୍ତି । ଏ ସବୁ ବାବଦରେ ତାଙ୍କ କାର୍ଡରେ ଥିବା ପାଣ୍ଠିରୁ ପ୍ରାୟ ୪.୩୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ତାଙ୍କ କାର୍ଡରେ ଅବଶିଷ୍ଟ ପ୍ରାୟ ୭୦ ହଜାର ଟଙ୍କା ଥିଲା । ପୁନଶ୍ଚ ସେପ୍େଟମ୍ବର ମାସ ଆରମ୍ବରୁ ଅଟୋ-ରିନୁଆଲ ମାଧ୍ୟମରେ ତାଙ୍କ କାର୍ଡରେ ୫ ଲକ୍ଷ ଟଙ୍କାର ପରିବାର ଚିକିତ୍ସା ପାଣ୍ଠି ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପାଣ୍ଠି ଉପଲବ୍ଧ କରାଯାଇଛି ।
ପତ୍ନୀ ଭାଗ୍ୟଶ୍ରୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା କୃଷ୍ଣଚନ୍ଦ୍ରଙ୍କର ଅସ୍ତ୍ରୋପ୍ରଚାର ସରିଛି । ସେ ଧୀରେ ଧୀରେ ଆରୋଗ୍ୟ ଲାଭ କରୁଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଓ ତତ୍ୱାବଧାନରେ ତାଙ୍କର ବର୍ତମାନ ଅପରେସନ୍-ପରବର୍ତୀ ଚିକିତ୍ସା ଓ ଫିଜିଓଥେରାପି ହେବ । ଏହି ଚିକିତ୍ସା ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ କରାଇବେ । ଚିକିତ୍ସା ପାଇଁ କାର୍ଡରେ ପୁନଶ୍ଚ ଅର୍ଥ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ବିଏସକେୱାଇ କାର୍ଡ ଯୋଗୁ ମୋ ସ୍ୱାମୀଙ୍କ ଜୀବନ ବଂଚିଲା, ଏବଂ ଏଥିପାଇଁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ ବୋଲି ସେ କହିଛନ୍ତି ।