ରାଉରକେଲା, ରାଉରକେଲା ସହର ଉଦିତନଗର ଥାନାର ମହିଳା ଏଏସଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍ନରେ ନିଜର ପ୍ରତିକ୍ରିୟା ରଖି ରାଉରକେଲା ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ, ଘଟଣା ଦିନ ମୃତ ମହିଳା ଏଏସଆଇ ଆଲିଶା ପିସିଆର ଡ୍ୟୁଟିରେ ଥିଲେ, ତାଙ୍କ ସହିତ ଆବଶ୍ୟକ ମୁତାବକ ଫୋର୍ସ ଥିଲେ । ସେଠାକୁ ଥାନା ଅଧିକାରୀଙ୍କ ଯିବାର ଆବଶ୍ୟକତା ନଥିଲା, ଆବଶ୍ୟକ ସ୍ଥଳେ ଘଟଣାସ୍ଥଳକୁ ଏସପି ଓ ଥାନା ଅଧିକାରୀମାନେ ଯାଉଛନ୍ତି ।
ଘଟଣା ଦିନ ଏକ କାର୍ ଓ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ କାର୍ ବାଲା ଗୋଷ୍ଠି ବସକୁ କ୍ଷତିପୁରଣ ଲାଗି ଆରଏମସି ପାଖରେ ଅଟକାଇଥିଲେ । ସେଥିରେ କିଛି ପେଶାଦାର ଗୁଣ୍ଡା ସାମିଲ୍ ଥିଲେ ବୋଲି କୁହାଯାଉଛି । ତେବେ ଏହି ଖବର ଉଦିତନଗର ଥାନାରେ ପହଁଚିବା ପରେ ଥାନା ପକ୍ଷରୁ ଏଏସଆଇ ଆଲିଶା ଓ ୨ ଜଣ କନେଷ୍ଟବଳଙ୍କୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଥିଲା । ସେଠାରେ ଆଲିଶା ନିଜ ବୁଦ୍ଧିରେ ଉଭୟ ଗୋଷ୍ଠୀର ସଂଘର୍ଷ ଭିତରକୁ ପଶିଯାଇଥିବା ବେଳେ କନେଷ୍ଟବଳ ଦୁଇ ଜଣ କିଂକର୍ତବିମୁଢ ହୋଇଯାଇଥିଲେ । ଶେଷରେ ଆକ୍ରମଣର ଶୀକାର ହୋଇ ଆଲିଶା ଆଖି ବୁଜିଥିଲେ । ତେବେ ରାଉରକେଲାରେ ଜଣେ ପୁଲିସ ଅଫିସରଙ୍କୁ ଥାନା ଓ ଏସପି ଅଫିସ ଠାରୁ ଅଳ୍ପ ଦୂରରେ ପିଟି ହତ୍ୟା କରାଯିବା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ଘଟଣା । ଏପରିକି ମୃତ ମହିଳା ଏଏସଆଇଙ୍କ ସ୍ୱାମୀ ମଧ୍ୟ ଘଟଣାକୁ ନେଇ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ହେଉଥିବା ବେଳେ ବର୍ତମାନର ପୋଲିସ ବ୍ୟବସ୍ଥା କିଭଳି ଚାଲିଛି ଏବଂ ଏହି ମାମଲାରେ ପୋଲିସ ତାର ଉପଯୁକ୍ତ ଦାୟୀତ୍ଵ ତୁଲାଉଛି ବୋଲି ଏସପି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।