କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ସଭା, ସମିତି ଓ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ପାଇଁ ଏକ ପ୍ରଦର୍ଶନୀ ପଡିଆ ଆବଶ୍ୟକ ହେଉଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ଜନସାଧାରଣଙ୍କ ପକ୍ଷରୁ ଦାବି ହେବା ପରେ ଜିଲ୍ଲାପାଳ ତୁରନ୍ତ ତିନିମୁହାଣୀ ନିକଟସ୍ଥ ଘଟଣାସ୍ଥଳ ପରିଦର୍ଶନ କରି ଭିତିଭୂମି ପର୍ଯ୍ୟବେକ୍ଷଣ କରିବା ସହ ପ୍ରଦର୍ଶନୀ ପଡିଆ ପାଇଁ ଏହା ଉପଯୁକ୍ତ ବୋଲି ସୂଚନା ଦେଇଥିଲେ । ଏଠାରେ ୨ ଏକରରୁ ଉଦ୍ଧ୍ୱର୍ ପୂର୍ତବିଭାଗ ଭୂସଂପତି ଥିବାବେଳେ ଏହାକୁ କେତେକ ବ୍ୟକ୍ତି ଆଂଶିକ ଜବରଦଖଲ କରି ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଜବରଦଖଲ ମୁକ୍ତ କରାଯାଇ ଏଠାରେ ପ୍ରଦର୍ଶନୀ ପଡିଆ କରାଯିବାକୁ ସ୍ଥିର ହୋଇଛି । ଏଠାରେ ପ୍ରଦର୍ଶନୀ ପଡିଆ କରାଗଲେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାତାୟତ ସୁବିଧା ରହିଥିବାରୁ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ । ଏହି ପରିଦର୍ଶନ ସମୟରେ ପୂର୍ତ ବିଭାଗ ଏଜୁକେଟିଭ୍ ଇଂଜିନିୟର ସରୋଜ କୁମାର ନାୟକଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।
Related Stories
December 22, 2024