କନ୍ଧମାଳ, ଷାଠିଏ ଦଶକରୁ ପାଠକୀୟ ରୂଚିର ବିକାଶ, କ୍ରୀଡାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିଲା-ବଡ଼ ସମସ୍ତଙ୍କୁ ଉତ୍ସାହିତ କରିବା, ନାଟକ ମଞ୍ଚସ୍ଥ, ସାହିତ୍ୟ ଆଲୋଚନା, ପତ୍ରିକା ପ୍ରକାଶନ ଆଦି ଗତିବିଧିରେ ଚଳଚଞ୍ଚଳ ଫୁଲବାଣୀର ଅନ୍ୟତମ ପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଏବଂ ବାର୍ଷିକ ଉତ୍ସବ ପାଳନ ଅବସରରେ ଦୁଇ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ଦୁଇଦିନ ବ୍ୟାପୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବରେ ସଂପାଦକ ଶରତ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଖେଳାଳିଙ୍କୁ ଉତ୍ସାହିତ କରି ମୁଖ୍ୟ ଅତିଥି ପଟ୍ଟନାୟକ ସମସ୍ତଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନରେ କ୍ରୀଡାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଭାଗ ନେଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏମକେଏସପି, ଫୁଲବାଣୀ ଜିଲ୍ଲା ପ୍ରଶାସନ ସହ ମିଳିତ ପ୍ରୟାସରେ ପାଳନ କରିବାକୁ ଯାଉଛି ପବିତ୍ର ଗାନ୍ଧୀ ଜୟନ୍ତୀ।
ଏହି ଅବସରରେ ରୋଟାରୀ କ୍ଲବ୍ ଆନୁକୁଲ୍ୟରେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ସଂପର୍କୀତ ଆଲୋଚନାଚକ୍ର ସହ କ୍ରୀଡା ସଂଘ ସହଯୋଗରେ କନ୍ଧମାଳରେ କ୍ରୀଡାର ପ୍ରସାର ସମ୍ପର୍କରେ ଆଲୋଚନା ଏବଂ ବାର୍ଷିକ ଉତ୍ସବ ଅବସରରେ ବିଧାୟକ ଅଙ୍ଗଦ କହଁର, ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, ପି.ଏ. ଆଇଟିଡିଏ ନରେଶ ଚନ୍ଦ୍ର ଶବର, କଲେଜ ଅଧ୍ୟକ୍ଷ ଡ. ସୁବାଷ ପ୍ରଧାନଙ୍କ ସମେତ ବହୁ ଆଲୋଚକ ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।