ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ପରିଷଦ ବୈଠକ ପରିଷଦର ଅଧ୍ୟକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଓଟିଇଏଲପି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଉକ୍ତ ବୈଠକରେ ଯୋଗଦେଇ ସମୀକ୍ଷା କରିଥିଲେ। ଏହି ବୈଠକରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବରାଦ ଥିବା ବେଳେ ୬ କୋଟି ୩୦ ଲକ୍ଷ ବଜେଟ ଗତ ବୈଠକରେ ଓ ବର୍ତ୍ତମାନ ବୈଠକରେ ୪ କୋଟି ୨୦ ଲକ୍ଷ ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା। ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଉତ୍ସବ ନିମନ୍ତେ ବ୍ଲକସ୍ତରରେ ୫ ଲକ୍ଷ ଲେଖାଏଁ ୩୫ ଲକ୍ଷ, ଜିଲ୍ଲାସ୍ତରରେ ୭୦ ଲକ୍ଷ, ବାଦ୍ୟ ଯନ୍ତ୍ର ଓ ଅଳଙ୍କାର ନିମନ୍ତେ ୨୧ଟି ଗ୍ରୁପକୁ ୨ ଲକ୍ଷ ଲେଖାଏଁ ୪୨ ଲକ୍ଷ, ୨୦ଟି ନୃତ୍ୟ କଳାକାର ମାନଙ୍କୁ ୧ ଲକ୍ଷ ଲେଖାଏଁ ୨୦ ଲକ୍ଷ, ୧୦୦୦ ପୂଜାରୀ ଦିସରି ମାନଙ୍କୁ ପରିଚୟ ପତ୍ର ୨୦୦ ଟଙ୍କା ଲେଖାଏଁ ୨ ଲକ୍ଷ ଖର୍ଚ୍ଚ ହେବ।
ଆଦିବାସୀ ଚିତ୍ରକଳାର ଉନ୍ନତ୍ତି ୪୦ ଜଣ ଯୁବକଙ୍କୁ ୩୦,୦୦୦ ଲେଖାଏଁ ୧୨ ଲକ୍ଷ ଦିଆଯିବ। ଏପରିକି ନିଜ ଆଦିବାସୀଙ୍କ ସଂସ୍କୃତି ବିଷୟରେ ଅନ୍ୟ ରାଜ୍ୟ ପରିଭ୍ରମଣ କରି ଆଊ ଅଧିକ ଜାଣିବା ପାଇଁ ୨୮୦ ଜଣଙ୍କୁ ୮୦୦୦ ଲେଖାଏଁ ୨୨ ଲକ୍ଷ ୪୦ ହଜାର ଖର୍ଚ୍ଚ ବରାଦ ରଖାଯାଇଛି।
ଆଦିବାସୀ କ୍ରୀଡା ଉନ୍ନତି ନିମନ୍ତେ ବ୍ଲକ୍ ସ୍ତରରେ ପ୍ରତିଯୋଗିତାରେ ୩ ଲକ୍ଷ ଲେଖାଏଁ ମୋଟ ୨୧ ଲକ୍ଷ, ଜିଲ୍ଲାସ୍ତରରେ ୨୦ ଲକ୍ଷ, ରାଜ୍ୟସ୍ତରରେ ୨୦ ଲକ୍ଷ ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି। ଜିଲ୍ଲାରେ ଖେଳ ଉପକରଣ ବାବଦରେ ପ୍ରତି ବ୍ଲକ ର ୧୦ ଲକ୍ଷର କ୍ରୀଡ଼ା ଉପକରଣ ଓ କ୍ଳବ୍ ନିର୍ମାଣ ନିମନ୍ତେ ମୋଟ ୭୦ ଲକ୍ଷ ଟଙ୍କା ଦିଆଯିବ। ପ୍ରଚାର ପ୍ରସାର ନିମନ୍ତେ ୨୧ ଲକ୍ଷ ଟଙ୍କା ମଧ୍ୟ ରଖା ହୋଇଛି। ବିଭିନ୍ନ ସ୍ଥାନରେ ହୁଣ୍ଡି ଘର ଓ କମ୍ୟୁନି ସେଣ୍ଟର୍ ଗୁଡ଼ିକ ପ୍ରାୟ ନିର୍ମାଣ କାର୍ଯ୍ୟ ଅତି ଧୀରେ ଚାଲିଛି। ଏ ସମସ୍ତ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସଭାପତି ଆଡମା ରାବା କହିଥିଲେ। ସମସ୍ତ ଆଦିବାସୀ ଜନଜାତି ପ୍ରତିନିଧିଙ୍କୁ ନିଜ ନିଜ ଉନ୍ନତି ନିମନ୍ତେ ଆଉ ଯଦି କିଛି ଆବଶ୍ୟକ ହୁଏ ଜିଲ୍ଲା ପ୍ରଶାସନ ସବୁବେଳେ ଆମ ସହିତ ରହିଛି ବୋଲି ଜିଲ୍ଲାପାଳ କହିଥିଲେ ।
ଏହି ବୈଠକରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶ୍ରୀମତୀ ଜୟଶ୍ରୀ, ଏସଡିସି ଉପାଧକ୍ଷା ଶ୍ରୀମତୀ ରଇଲା ନାୟକ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ କର, ଡିପିସି ଲକ୍ଷ୍ମୀ ନାରାୟଣ ହୋତା ଏବଂ ପରିଷଦର ୧୭ ଜଣ ସଦସ୍ୟ ଉପସ୍ଥିତ ଥିଲେ।