-
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ସ୍କ୍ରବ୍ ଟାଇଫସକୁ ରୋକିବା ପାଇଁ ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ମେଡିକାଲ୍ ଟିମ୍
ଭୁବନେଶ୍ୱର, ସେପ୍ଟେମ୍ବର ୩୦- ଓଡ଼ିଶାରେ ବ୍ୟାପୁଥିବା ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ କେନ୍ଦ୍ରୀୟ ମେଡିକାଲ୍ ଟିମ୍ ଓଡ଼ିଶା ଆସି ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତ୍ୱରିତ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଗତ ୨୨ ତାରିଖରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଚିନ୍ତାବ୍ୟକ୍ତ କରିଥିଲେ । ଓଡ଼ିଶା ବିଶେଷ ଭାବରେ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ବୃଦ୍ଧିକୁ ରୋକିବା ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଯଥାଶୀଘ୍ର ରାଜ୍ୟକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ୍ ପଠାଇବା ପାଇଁ ଅନୁରୋଧ କରିଥିଲେ ।
ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ସେପ୍ଚେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍କ୍ରବ ଟାଇଫସ ସଂକ୍ରମଣ ଯୋଗୁଁ କିଛି ଲୋକମାନେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଛି । ଏକାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଭିମସାରରେ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଏହି ସଂକ୍ରମିତ ରୋଗର ନିରାକରଣ ପାଇଁ ଚିକିତ୍ସା କରୁଥିବା ଅଭିଜ୍ଞ ଡାକ୍ତରୀ ଦଳକୁ ଓଡ଼ିଶାକୁ ଶୀଘ୍ର ପଠାଇବା ଦିଗରେ ବିହିତ ପଦକ୍ଷେପ ନିଆଯାଉ । ଏହାବ୍ୟତିତ ଔଷଧ ଯୋଗାଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।
ଏହି ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ ସ୍ୱାସ୍ଥ୍ୟ ଲାବରୋଟୋରୀ ଗୁଡିକରେ ଏଲିସା ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଜରୁରୀ । ଏହି ଡାକ୍ତରୀ ଦଳ ରାଜ୍ୟ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ସମନ୍ୱୟ ରଖି ମିଳିତ ଭାବରେ କାର୍ଯ୍ୟ କଲେ ଏହି ସଂକ୍ରମଣକୁ ରୋକାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।