ଭୁବନେଶ୍ୱର, ସିସୋର ଚିଟ୍ ଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ କରିଛି ଇଡି । ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କସହ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ମଧ୍ୟ ସେସନ୍ସ କୋର୍ଟରେ ଇଡି ପକ୍ଷରୁ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ସହ ସିସୋରର ୨ଟି କଂପାନୀ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ଚାର୍ଜସିଟ୍ ହୋଇଛି ।
୨୦୧୭ ସେପ୍ଟେମ୍ବର ୧୯ରେ ସିସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା । ଏହି ଟଙ୍କା କାରବାରରେ ପ୍ରଭାତ ବିଶ୍ୱାଳଙ୍କୁ ଦୋଷୀ ପାଇବା ପରେ ସିବିଆଇ ୨୦୧୭ରେ ତାଙ୍କୁ ଗିରଫ କରିଥିଲା । ୨୦୧୮ ଜୁନ୍ ୨୭ରେ ତାଙ୍କୁ ବେଲ୍ ମିଳିଥିଲା । ମାମଲାରେ ୩୦ ଜୁଲାଇରେ ପ୍ରଭାତଙ୍କ ଆକାଉଂଂଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ ।