ଭୁବନେଶ୍ୱର, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ପୁଅ ଜନ୍ମ ହୋଇଛି ବୋଲି ନର୍ସ କହିଥିବା ବେଳେ ପରେ ଝିଅ ଆଣି ଦେଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ରାଜକନିକା ଅଂଚଳର ପ୍ରାଣକୃଷ୍ଣ ବିଶ୍ୱାଳ । ସେ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ ଶିଶୁର ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି । ଏହାସହ ସେ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସୁପରିେଂଟଣ୍ଡେଂଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ । ଦରକାର ପଡ଼ିଲେ ଛୁଆର ଡିଏନଏ ଟେଷ୍ଟ କରାଯିବ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ରୁଚିକା ମାର୍କେଟ୍ ଅଂଚଳରେ ରହୁଥିବା ରାଜକନିକାର ପ୍ରାଣକୃଷ୍ଣ ତାଙ୍କ ପତ୍ନୀ ସମିତାଙ୍କୁ ଡେଲିଭରି ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଗତକାଲି ରାତି ୧୦ଟାରେ ମୋ ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ । ପରେ ଛୁଆକୁ ନର୍ସ ଆଣି ମୋ ଶାଶୁକୁ ଦେଇଥିଲେ । ମୁଁ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା । ମୁଁ ନର୍ସଙ୍କୁ ଏହି ବିଷୟରେ ପଚାରିଥିଲି । ସେ କିଛି ନ କହି ପଳାଇ ଯାଇଥିଲେ । କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି । ଅନ୍ୟ ଜଣଙ୍କର ପୁଅ ହୋଇଛି । ନର୍ସରେ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ । ଶିଶୁର ଡିଏନଏ ଟେଷ୍ଟ କରାଯାଉ । ନହେଲେ ସେ ଶିଶୁ କୁ ନେବେ ନାହିଁ ବୋଲି କହିଛନ୍ତି ।