ଭୁବନେଶ୍ୱର,ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଉକ୍ତ ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକଗଣ ପ୍ରାୟ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇ ରାଜ୍ୟ ବିଧାନସଭା ଆଗରେ ନିଆରା ଢଙ୍ଗରେ ଦୁଇ ଦଫା ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିଛନ୍ତି । ସେମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନଦାବିକୁ ସରକାର ପୂରଣ କରିନାହାଁନ୍ତି । ଅପରପକ୍ଷେ ଗତ ପ୍ରାୟ ୧ ବର୍ଷରୁ ଅଧିକ ସମୟ ହେବ ସେମାନଙ୍କ ପାଇଁ ଥିବା ଅଧିକାଂଶ ସରକାରୀ ଚିଠି ଓ ଗାଇଡ୍ଲାଇନ୍କୁ ଅଣଦେଖା କରାଯାଇ ଅଧିକାଂଶ ବ୍ଲକ ଓ ପଞ୍ଚାୟତସ୍ତରରେ ସେମାନଙ୍କୁ ସେମାନଙ୍କର ନ୍ୟାୟରୁ ବଂଚିତ କରାଯାଇଛି ବୋଲି ସଂଘ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଲୋୟର ପି.ଏମ୍.ଜି. ଧାରଣାସ୍ଥଳରେ ସଂଘର ରାଜ୍ୟ ଜିଲ୍ଲା ଓ ବ୍ଲକ ସଂଗଠକମାନେ ସକାଳୁ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୂଜାପାଠ ଓ ଯଜ୍ଞ କରିଥିଲେ । ତା’ପରେ ଜୀବନ ଜୀବିକାର ବିପନ୍ନତାକୁ ଆଧାର କରି ଘାସ ଓ କୁଟା ଖାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଆଗରେ ଦଣ୍ଡବତ ପ୍ରଣାମ ସହିତ ଅଧିଆ ପଡ଼ି ଦାବି ପୂରଣ ପାଇଁ ସରକାରଙ୍କ ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଜଣାଇଥିଲେ । ଏଥିସହିତ ଚଳିତ ସେପ୍ଟେମ୍ବର ୩୦ ତାରିଖ ଦିନ ମାଷ୍ଟରକ୍ୟାଂଟିନ୍ ଛକ ଠାରୁ ଧାରଣା ସ୍ଥଳ ଯାଏଁ ଏକ ବିଶାଳ ଗାଁସାଥୀ (ମେଟ୍) ସମାବେଶ ଓ ରାଲି କରାଯିବା ପାଇଁ ସଂଘ ନିଷ୍ପତି ନେଇଛି ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି ।
Related Stories
February 5, 2025
February 5, 2025