ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାର ସୋରରେ ଥିବା ଏକ ଘରୋଇ ନର୍ସିଂହୋମ୍ ରେ ଜଣେ ପ୍ରସୂତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକେ ଶବକୁ ନର୍ସିଂହୋମ୍ ଆଗରେ ରଖି କ୍ଷତିପୂରଣ ଦାବିରେ ହେ ହାଲ୍ଲା କରିଥିଲେ । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଓ ନର୍ସିଂହୋମ୍ କର୍ତୃପକ୍ଷ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ, ଔପଦା ବ୍ଲକ୍ ବାଙ୍ଗୁରୁ ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତା ଭୂୟାଁ (୨୫) ପ୍ରସବ ପାଇଁ ଗତକାଲି ସୋର ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ନର୍ସିଂହୋମ୍ ରେ ଭର୍ତି କରିଥିଲେ । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର, ସନ୍ତାନ ପ୍ରସବ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଅଧିକ ଚିକିତ୍ସା ନିମନ୍ତେ ପରିବାର ଲୋକେ ତାଙ୍କୁ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ନମିତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକେ କ୍ଷତିପୂରଣ ଦାବିରେ ବିଳମ୍ବିତ ରାତିରେ ମୃତଦେହକୁ ନର୍ସିଂହୋମ୍ ଆଗରେ ରଖି ଧାରଣାରେ ବସି ରହିଥିଲେ । ଖବର ପୋଲିସ ଓ ନର୍ସିଂହୋମ୍ କର୍ତୃପକ୍ଷ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ନବଜାତ ଶୁଶୁକନ୍ୟାଟି ସୁସ୍ଥ ଥିବା ଜଣାପଡିଛି ।