ସମ୍ବଲପୁର, ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି । ଫଳରେ ଏବେ ମୋଟ୍ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ବନ୍ଧର ବାମ ପାର୍ଶ୍ଵ ଡାଇକ୍ ର ୮ଟି ଏବଂ ଡାହାଣ ପାର୍ଶ୍ଵ ଡାଇକ୍ ର ୬ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୧୪ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୪ ହଜାର ୨୦୧ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୨୯ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।