ଭୁବନେଶ୍ୱର, ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଇଏମଡି ଡିଜି ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
ଆଇଏମଡି ଡିଜି କହିଛନ୍ତି, ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ । ଏହି ଲଘୁଚାପଟି ପଶ୍ଚିମ-ଉତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଂଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାର୍ହି । ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ । ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ । ଏହି ମାସରେ ବାତ୍ୟା ହୋଇଥାଏ । ଆମେ ଏହା ଉପରେ ନଜର ରଖିଛୁ । ଲଘୁଚାପ ସୃଷ୍ଟି ହେଲେ ରୂପରେଖ ଜଣାପଡ଼ିବ । ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।