ସୂଚନା ଅନୁଯାୟୀ, ଛତିଶଗଡ଼ରୁ ଦୁଇଟି ପରିବାରର ୯ ଜଣ ସଦସ୍ୟ ତଥା ଡ଼୍ରାଇଭରକୁ ମିଶାଇ ମୋଟ୍ ୧୦ ଜଣ ଏକ ବୋଲେରୋ ନଂ ସିଜି୦୪ଏଚକେ-୦୧୮୩ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ । ରାତି ପ୍ରାୟ ସାଢ଼େ ୨ଟା ସମୟରେ କତଡ଼ା ନିକଟରେ ‘ସୁଶିଲ୍’ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍ ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ଇବ୍ ଥର୍ମାଲ୍ ଯାଉଥିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ବୋଲେରୋ ଡ଼୍ରାଇଭରଙ୍କ ସମେତ ତିନି ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆହତ ୬ ଜଣଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ବର୍ଷିୟ ବାଳକ ଗୋବିନ୍ଦ ନାମଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପରବର୍ତି ସମୟରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ନୀଲେଶ ଧ୍ରୁବଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଅନ୍ୟ ଆହତ ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ମୃତକ ମାନଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଅପରପକ୍ଷରେ ଦୁର୍ଘଟଣା ପରେ ଡ଼୍ରାଇଭର ବସ୍ ଛାଡି ଫେରାର୍ ହୋଇଯାଇଥିବା ଜଣାପଡିଛି । ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିବା ସହ ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 28, 2024