ଭୁବନେଶ୍ୱର, ଓଡ଼ିଶାରେ ବିଗତ କିଛିବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବନାହିଁ । ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ବିଭିନ୍ନ ଅଧିକାରୀ ମାନଙ୍କର ଧ୍ୟାନଆକର୍ଷଣ କରିବା ଏବଂ ଏହାର ସମାଧାନ ପାଇଁ ସରକାରଙ୍କୁ କଟୁ ସମାଲୋଚନା କରିବା ପ୍ରତ୍ୟେକ ସାମ୍ବାଦିକ ଏବଂ ଗଣମାଧ୍ୟମର ଧର୍ମ ଓ କର୍ତବ୍ୟ ।ସାମ୍ବାଦିକମାନେ ସତ୍ୟ ଓ ଠିକ ସମ୍ବାଦ ପରିବେଷଣ କରିବେ ନାହିଁ ତ କ’ଣ କେବଳ ବିଜେଡ଼ି ସରକାରଙ୍କର ସମସ୍ତ କଳାକାରନାମାକୁ ଚପାଇ ଦେଇ କେବଳ ପ୍ରଶଂସା ବା ଗୁଣଗାନ କରିବା କ’ଣ ତାଙ୍କ ଧର୍ମକି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବୁଧବାର ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ସଂକୁଚିତ ହେବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ଲାଗି ଏକ ବିଡ଼ମ୍ବନା । କିଛି ଦିନ ହେଲା ଗୋଟେ ପରେ ଗୋଟେ ଗଣମାଧ୍ୟମ ଉପରେ ବିଜେଡ଼ି ସରକାର ପ୍ରତିହିଂସା ପରାୟଣ ହୋଇ ସରକାରୀ କଳର ସଂପୂର୍ଣ୍ଣ ଅପବ୍ୟବହାର ଓ ଚାପ ପ୍ରୟୋଗ କରି କଣ୍ଠରୋଧ କରିବାପାଇଁ ଲାଗିଛନ୍ତି । ଯେଉଁ ସାମ୍ବାଦିକମାନେ ରାଜ୍ୟର ବିଜେଡ଼ି ସରକାରଙ୍କର ଦୁର୍ନୀତିକୁ ଲୋକଲୋଚନକୁ ଆଣୁଛନ୍ତି ସତ୍ୟ ଓ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରୁଛନ୍ତି ସେମାନଙ୍କୁ ସରକାର ସରକାରୀ କଳ ମାଧ୍ୟମରେ ସିଧା ଟାର୍ଗେଟ କରୁଛନ୍ତି , ଧମକ ମଧ୍ୟ ଦେଉଛନ୍ତି । ସାମ୍ବାଦିକ ମାନଙ୍କୁ ସରକାରୀ ଘର ଛାଡ଼ିବାପାଇଁ ନୋଟିସ ଦିଆଯାଉଛି ।କଂଗ୍ରେସ ଦଳ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ କେବେ ବରଦାସ୍ତ କରିବ ନାହିଁ । ସମ୍ବିଧାନରେ ଦିଆଯାଇଥିବା ଚତୁର୍ଥସ୍ତମ୍ବର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଥିବା ଓଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଲଢ଼େଇ କରିବ ।
ସେ କହିଛନ୍ତି ରାଜ୍ୟରେ ୧୭ ବର୍ଷ ହେଲା ସାମ୍ବାଦିକଙ୍କ ଅଧିସ୍ୱୀକୃତି କମିଟି ନାହିଁ । ୨୦୨୩ ମସିହା ପ୍ରେସଫ୍ରିଡମ ଅଫ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ ଟି ଦେଶ ମଧ୍ୟରେ ୧୬୧ ସ୍ଥାନରେ । ପୂର୍ବବର୍ଷ ତୁଳନାରେ ଏହା ୧୧ ସ୍ଥାନ ତଳକୁ ଖସିଛି । ଆଜି ସମ୍ବାଦ ଖବର କାଗଜ ଉପରେ ଏପରି ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଓଡ଼ିଶାରେ କଂଗ୍ରେସ ସରକାର ଫେରିଲେ ସାମ୍ବାଦିକ ମାନଙ୍କୁ ସଚିବାଳୟ ଓ ବିଧାନସଭାକୁ ଆସି ସମ୍ବାଦ ସଂଗ୍ରହ କରିବା ପୂର୍ଣ୍ଣ ଅନୁମତି ମିଳିବ । ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟଦାବି ଓ ସମ୍ମାନକୁ ଫେରାଇ ଦିଆଯିବ ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ କହିଛନ୍ତି ଜଣେ ସଂପାଦକ କ’ଣ ସାଂପଦକୀୟ ଲେଖିବ ତାକୁ କଣ ବିଜେଡ଼ି ସରକାରଙ୍କୁ ପଚାରିକି ଲେଖିବ । ସାମ୍ବାଦିକତା ବୃତିର ଧର୍ମ ହେଉଛି ସତ୍ୟ ଓ ନ୍ୟାୟକୁ ଲେଖିବା । ଯେଉଁ ସାମ୍ବାଦିକମାନେ ସରକାରଙ୍କର ଅନ୍ୟାୟ ଅନିତି ଓ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରିବ ତାକୁ ସରକାର ଆକ୍ରୋଶମୂଳକ ଆକ୍ରମଣ କରିବା ସ୍ୱେଚ୍ଛାଚାରିତାର ସବୁଠାରୁ ନିମ୍ନସ୍ତର ବୋଲି ଆମକୁ ବୁଝିବାକୁ ପଡ଼ିବ । ନବୀନ ପଟ୍ଟନାୟକ ଜଣେ ସ୍ୱେଚ୍ଛାଚାରୀ ବୋଲି ଏଥିରୁ ପ୍ରମାଣିତ ।