ବଲାଙ୍ଗୀର, ବିଧାନସଭା ଅଧିବେଶନ ବସିବା ପୂର୍ବରୁ ଲୋକ ପ୍ରତିନିଧି ଭାବରେ ମୋର କର୍ତ୍ତବ୍ୟ ଓ ଦାୟିତ୍ଵ ହେଲା ମୋର ମତଦାତାଙ୍କ ଠାରୁ ଆଗାମୀ ବିଧାନସଭାରେ ଜିଲ୍ଲାର କେଉଁ ସବୁ ସମସ୍ୟା ଉତ୍ଥାପନ ହେବ ତାହା ପଚାରି ବୁଝିବା । ଯାହା ନିସ୍କର୍ଷ ବାହାରିବ ସେ ସବୁକୁ ନେଇ ଜିଲ୍ଲା ପାଇଁ ବିଧାନସଭାରେ ଲଢେଇ ହେବ । ଏହି ଅଧିବେଶରେ ମୁଖ୍ୟତଃ ଶିକ୍ଷା, ସ୍ଵାସ୍ଥ୍ୟ, ବେରୋଜଗାରି ଓ ଗଣତନ୍ତ୍ରର ସୁରକ୍ଷାକୁ ନେଇ ଜୋରଦାର ଲଢେଇ ହେବ ବୋଲି ବିଧାନସଭା ବସିବା ପୂର୍ବରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ବଲାଙ୍ଗିରର ନାଗରିକ ସମାଜଙ୍କ ସହ ଆଲୋଚନା ବେଳେ ମତାମତ ନେଇସାରିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଏହି ନିଆରା କାର୍ଯ୍ୟକ୍ରମ “ଜନମତ ଓ ବିଧାୟକ” ଆରମ୍ଭ ହୋଇଥିଲା । ସାମାଜିକ କର୍ମୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ଆଲୋଚନାରେ ବଲାଙ୍ଗିରର ପ୍ରାୟ ସମସ୍ତ ବୁଦ୍ଧିଜିବି, ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ତଥା ସମାଜିକ ସଂଗଠନ ଭାଗ ନେଇଥିଲେ । ଆଲୋଚନା ବେଳେ ଅନେକ ବୁଦ୍ଧିଜିବି ଜିଲ୍ଲାରେ ପାଠ ପଢିସାରିଲା ପରେ ରୋଜଗାର ପାଉ ନ ଥିବା ପିଲାମାନଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ବିଧାନସଭାରେ ଆଲୋଚନାରେ କରାଯିବାର ପ୍ରସ୍ତାବ ଦେଇଥିଲେ । କିଛି ଲୋକ ସ୍ଵାସ୍ଥ୍ୟ, କୃଷି, ପରିବହନ, ପର୍ଯ୍ୟଟନ ଓ ଶିଳ୍ପକୁ ନେଇ ବଲାଙ୍ଗିର ପାଇଁ ବିଧାୟକ ଲଢେଇ କରନ୍ତୁ ବୋଲି ମତ ଦେଇଥିଲେ । ବଲାଙ୍ଗିରରେ ଡ୍ରେନେଜ ଏବଂ ବର୍ଷା ହେଲେ ତଳି ଅଂଚଳର ଘର ଭିତରେ ପାଣି ପଶିବା ସମସ୍ୟାକୁ ନେଇ ମଧ୍ୟ ନାଗରିକ କମିଟି ତରଫରୁ ଅଭିଯୋଗ କରାଯାଇଥିଲା । ଏହି ସମସ୍ତ ଆଲୋଚନା ପରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ, ଲୋକେ ଆଜିକାଲି ଆଉ ପ୍ରତିକ୍ରିୟାଶୀଳ ହେଉନାହାନ୍ତି । କୌଣସି ବି ସମସ୍ୟା ହେଲେ ଯଦି ନାଗରିକ ସମାଜ ଚୁପ ହୋଇ ବସିବେ, ପ୍ରତିକ୍ରିୟା ଦେବେ ନାହିଁ କିମ୍ବା ପ୍ରତିବାଦ କରିବେ ନାହିଁ ତେବେ ବର୍ତ୍ତମାନ ଏପରି ଏକ ସରକାର ରାଜ୍ୟରେ ଚାଲିଛି ଯେଉଁମାନେ କି ଏକଛତ୍ରବାଦୀ ମନୋବୃତ୍ତିରେ ଗଣତନ୍ତ୍ରକୁ ଗୌଣ କରି ଲୋକମାନଙ୍କ କୌଣସି ସମସ୍ୟା ଶୁଣୁନାହାନ୍ତି । ବଲାଙ୍ଗିର କୃଷି ବିଶ୍ଵ ବିଦ୍ୟାଳୟ ଦାବି କି ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ସମସ୍ୟା କୌଣସିଥିରେ ବି ଲୋକଙ୍କ ସ୍ଵର ଗୁରୁତ୍ଵହୀନ ହୋଇଗଲାଣି । ପୂର୍ବରୁ ସମଲେଶ୍ଵରୀ ମନ୍ଦିର ଏବଂ ଗୋପାଳଜୀ ମନ୍ଦିର ଉନ୍ନତିକରଣ ପାଇଁ ପାଖାପାଖି ୩୯ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ, ଦୁଃଖର ବିଷୟ ଫାଇଭ-ଟି ସଚିବଙ୍କ ବଲାଙ୍ଗିର ଗସ୍ତ ପରେ କାହିଁକି କେଜାଣି ଏହି ସବୁ ମନ୍ଦିର ଏବଂ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ସେହି ବ୍ୟୟ ଅଟକଳ ୭ କୋଟି ଟଙ୍କାରେ ସୀମିତ ହୋଇଯାଇଛି । ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ପାଇଁ ୨୦୦ କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ଆମ ସମଲେଶ୍ଵରୀ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ଵରୀ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ପାଇଁ ମାତ୍ର ୭ କୋଟି ଟଙ୍କା ଅନୁଦାନ ପାଇଁ ପ୍ରସ୍ତାବ ତିଆରି ହେବା ବଲାଙ୍ଗିରବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଏକ ସ୍ପଷ୍ଟ ଉଦାହରଣ । ଏଥିରୁ ଲୋକ ବୁଝନ୍ତୁ ଏହି ଜନବିରୋଧି ସରକାର ବଲାଙ୍ଗିରକୁ କିଭଳି ନଜରରେ ଦେଖୁଛନ୍ତି । ଆଲୋଚନା ବେଳେ ଶିକ୍ଷା ସମସ୍ୟା ଓ ଶିକ୍ଷକମାନଙ୍କର ତାଲିମକୁ ନେଇ ପ୍ରଫେସର ମଧୁସୁଦନ ପତି ସ୍ଵତନ୍ତ୍ର ପ୍ରସ୍ତାବ ଦେଇଥିଲେ ।
ଆଲୋଚନା ବେଳେ ନାଗରିକ କମିଟି ସଭାପତି ବେଲାରସେନ ଭୋଇ, ସଂପାଦକ ମନୋରଂଜନ ସାହୁ, ଓକିଲ ନକୁଳ ଅଗ୍ରୱାଲ, ଡା. ପ୍ରମୋଦ ମିଶ୍ର, ଡା. ପ୍ରେମାନନ୍ଦ ମହାନ୍ତି, ମାହେଶ୍ଵରୀ ସଂଗଠନ, ଗୋପଭୂଷଣ ନାଥ, ଐତିହାସିକ ଶିବ ନନ୍ଦ, ଧର୍ମବ୍ରତ ରଥ, ଗଜେନ୍ଦ୍ର ଭମର, ପ୍ରହଲ୍ଲାଦ ଶତପଥି, ଆଲ୍ଲାଦ ପୁଜାରୀ ପ୍ରମୁଖ ଶିକ୍ଷା, ସ୍ଵାସ୍ଥ୍ୟ, ପର୍ଯ୍ୟଟନ, ବେକାରୀ ସମସ୍ୟା ଉପରେ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ ।