-
ଓଟିଡିସିର ବିଚ୍ସାଇଡ୍ ଡେଷ୍ଟିନେସନ୍ ୱେଡିଙ୍ଗ୍ ପ୍ୟାକେଜ୍ ତାଲିକାରେ ଅଛି ଚାନ୍ଦିପୁର
-
ଏଥର ସମୁଦ୍ର ପାଖ ପାନ୍ଥନିବାସରେ ବାହାଘର ଆୟୋଜନ କରିପାରିବେ ପର୍ଯ୍ୟଟକ
-
ସ୍ବତନ୍ତ୍ର ୱେଡିଙ୍ଗ୍ ପ୍ୟାକେଜ୍ ଘୋଷଣା କଲା ଓଟିଡିସି
-
ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ବୁକ୍ କରିପାରିବେ ପାନ୍ଥନିବାସ
-
ବାଜାରୋଷଣି ସହ ଖାନାପିନାର ସମସ୍ତ ଦାୟିତ୍ୱ ପାନ୍ଥନିବାସର
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ଏଣିକି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆଉ ପାଦେ ଆଗେଇ ଆରମ୍ଭ କଲା ବିବାହ ଅନୁଷ୍ଠାନର ପୁରା ପ୍ୟାକେଜ୍। ମାତ୍ର ୨.୧୭ ଲକ୍ଷରେ ଆପଣମାନେ ଏଣିକି ବିଚ୍ ସାଇଡ୍ ଓ୍ଵେଡିଙ୍ଗ୍ ଡେଷ୍ଟିନେସନ ତାଲିକାରେ ଆସୁଥିବା ଚାନ୍ଦିପୁର ପାନ୍ଥନିବାସରେ କରିପାରିବେ ବିବାହୋତ୍ସବର ଭବ୍ୟ ଆୟୋଜନ। କୌଣସି ପ୍ରକାର ଟେନସନ ନାହିଁ। କେବଳ ପଇସା ଦେବେ ଓ ବାକି ସବୁ କାମ କରିବ ପାନ୍ଥନିବାସ କର୍ତ୍ତୃପକ୍ଷ। ଓଡିଶା ରାଜ୍ୟ ପର୍ଯ୍ୟଟନ ନିଗମ ବା ଓଟିଡିସି ଦ୍ଵାରା ‘ଡେଷ୍ଟିନେସନ ଓ୍ଵେଡିଙ୍ଗ୍ ପ୍ୟାକେଜ’ ନାମକ ଏକ ଅଭିନବ ଯୋଜନା ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କ ପାଇଁ ଶୁଭାରମ୍ଭ କରାଯାଇଛି।
ବର୍ତ୍ତମାନ ଏହି ଯୋଜନା ପୁରୀ, ଗୋପାଳପୁର, ରମ୍ଭା, କୋଣାର୍କ, ଚାନ୍ଦିପୁର ଓ ବରକୁଳ ଠାରେ ଥିବା ଛଅଟି ସମୁଦ୍ର ତଟୀୟ ପାନ୍ଥନିବାସ ରେ ଉପଲବ୍ଧ ଅଟେ।
ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର। କାରଣ ସୁମଦ୍ରକୂଳିଆ ପାନ୍ଥନିବାସରେ
ବାହାଘର କରିପାରିବା ସାଧାରଣ ଲୋକଙ୍କ ପାଇଁ ଖାଲି ଅସାଧ୍ୟ ନଥିଲା, ଅକଳ୍ପନୀୟ ବି ଥିଲା। ଏବେ ତାହା ସମ୍ଭବ ହେଲା। ସବୁଠୁ ବଡକଥା ହେଲା ବାହାଘର ପାଇଁ ସମସ୍ତ ବ୍ୟବସ୍ଥା କରିବ ପାନ୍ଥନିବାସ। ଏହି ଯୋଜନାରେ ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ସମୁଦ୍ର ଉପକୂଳରେ ଥିବା ପାନ୍ଥନିବାସକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏଠିକା ଲୋକଙ୍କ ଭିତରେ ଊତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ପ୍ୟାକେଜ୍ ମାଧ୍ୟମରେ ଯେକେହି ବ୍ୟକ୍ତି ପାନ୍ଥନିବାସରେ ବାହାଘର ଆୟୋଜନ ସହ ବିବାହ ଆଦିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭ୍ରମଣର ସୁବିଧା ପାଇପାରିବ। ଏହି ୱେଡିଙ୍ଗ୍ ପ୍ୟାକେଜ୍ ୨ଲକ୍ଷ ୧୭ହଜାର ୫୦୦ ଟଙ୍କାରୁ ଆରମ୍ଭ।ଓଡ଼ିଶା ତଥା ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ପର୍ଯ୍ୟଟନ ନିଗମ ଆରମ୍ଭ କରିଥିବା ଏଇ ସ୍ବତନ୍ତ୍ର ଯୋଜନାରେ ଓଡ଼ିଶାର ୬ଟି ପାନ୍ଥନିବାସ ମଧ୍ୟରେ ଅଧିକାଂଶ ଲୋକ ବା ପର୍ଯ୍ୟଟକ ଚାନ୍ଦିପୁର ଡେଷ୍ଟିନେସନକୁ ପସନ୍ଦ କରିଥାନ୍ତି ଏହାର ବିରଳ ସମୁଦ୍ର ଓ ନିରୋଳା ପରିବେଶ ପାଇଁ। ଏଠାରେ ଥିବା ପାନ୍ଥନିବାସ ଓ ଜୁଆର-ଭଟ୍ଟା ହେଉଥିବା ବେଳାଭୂମି ନିକଟରେ ବାହାଘର କରିବାର ମଜା ନିହାତି ଭାବେ ଅନନୁଭବ୍ୟ।
ମାତ୍ର ପୂର୍ବରୁ ସେମିତି ସୁବିଧା ନଥିବାରୁ ଚାନ୍ଦିପୁର ପାନ୍ଥନିବାସରେ ବାହାଘର ହୋଇ ପାରୁନଥିଲା। ଏହି ପ୍ୟାକେଜ୍ ମାଧ୍ୟମରେ ଏବେ ଚାନ୍ଦିପୁର ପାନ୍ଥନିବାସରେ ବାହାର ରାଜ୍ୟର ପର୍ଯ୍ୟଟକ ବି ଏଠାରେ ସେମାନଙ୍କ ମନ ମୁତାବକ ବାହାଘର କରିପାରିବେ। ଏଥିପାଇଁ ତିନୋଟି ୱେବ୍ସାଇଡ୍ ସହିତ ଓଟିଡିସି ଚୁକ୍ତି ସ୍ବାକ୍ଷର କରିଛି। ଜଣେ ଅନ୍ଲାଇନ୍ ନହେଲେ ଅଫ୍ଲାଇନ ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ। ସଙ୍ଗୀତ, ମେହେନ୍ଦି କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ବାହାଘର ଓ ଭୋଜିଭାତ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଓଟିଡିସି ଡେଷ୍ଟିନେସନ୍ ୱେଡିଙ୍ଗ୍ ପ୍ୟାକେଜ୍ ଭିତରେ ଆସିବ।
ସଂପୂର୍ଣ୍ଣ ବାହାଘର ପାଇଁ ପ୍ୟାକେଜ୍ ୨ଲକ୍ଷ ୧୭ ହଜାର ୫ଶହ ଟଙ୍କାରୁ ଆରମ୍ଭ। ଏହି ପ୍ୟାକେଜ୍ ମଧ୍ୟରେ ୫୦ ଜଣଙ୍କ ପାଇଁ ୨୫ଟି ରୁମ୍ ସହିତ ମିଲ୍, ସ୍ନାକସ୍, ଜଳଖିଆ, ମିନେରାଲ୍ ୱାଟର୍ ଏବଂ ୱେଡିଙ୍ଗ୍ ମିଲ୍ର ସୁବିଧା ରହିବ। ଏଥିସହିତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ଓ ଅଧିକ କିଛି ସାଜସଜ୍ଜା ଚାହୁଁଥିଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ।
ଏ ସମ୍ପର୍କରେ ଚାନ୍ଦିପୁର ପାନ୍ଥନିବାସର ମ୍ୟାନେଜର୍ ତାରିକ୍ ଅଲ୍ଲୀ କହନ୍ତି, “ଚାନ୍ଦିପୁର ପାନ୍ଥନିବାସରେ ପୂର୍ବରୁ ବାହାଘର ବ୍ୟବସ୍ଥା ନଥିଲା। ପୂର୍ବରୁ ମାତ୍ର ୩ଟି ମାରୁୱାଡ଼ି ବାହାଘର ଆମେ କରିଛୁ। ସେଥିରେ ସେମାନେ କେବଳ ଆମଠୁ ସ୍ପେଶ୍ ନିଅନ୍ତି। ବାକି ସବୁ ବ୍ୟବସ୍ଥା ସେମାନେ ନିଜେ କରନ୍ତି। ଏବେ କିନ୍ତୁ ଏହି ୱେଡିଙ୍ଗ୍ ପ୍ୟାକେଜ୍ ଯୋଜନାରେ ଆମେ ସବୁ ପ୍ରକାର ବ୍ୟବସ୍ଥା କରିବୁ। ଲୋକେ ଏଥିପ୍ରତି ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ। କାରଣ ଆଜିକାଲି ଲୋକମାନେ ବାହାଘର ଯୋଜନା ପାଇଁ ନିଜେ ଏତେ ଟେନସନ୍ ନେବାକୁ ଚାହୁଁ ନାହାନ୍ତି। ତାଛଡା ସରକାରଙ୍କ ସଂଗଠନ ବୋଲି ଲୋକଙ୍କ ବିଶ୍ବାସ ବି ରହିବ ଓ ସିବିଚ୍ ଭଳି ସ୍ଥାନ ବା ଡେଷ୍ଟିନେସନ୍ ମ୍ୟାରେଜ୍ କୁ ସ୍ମରଣୀୟ କରିବ।”
ଏହି ପ୍ୟାକେଜ୍ ଯୋଜନାରେ ବାହାର ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ପର୍ଯ୍ୟଟକ ମଧ୍ୟ ଏଠାରେ ବାହାଘର ପାଇଁ ବୁକ୍ କରିପାରିବେ। ବାହାଘର ପାନ୍ଥନିବାସ କ୍ୟାମ୍ପସ୍ ଭିତରେ ହିଁ ହେବ। ଆସିବା ପାଇଁ ବସ୍ ଦିଆଯିବ। ବାହାଘର ପାଇଁ ସବୁ ଯୋଜନା ଯଥା ରୁମ୍, ହଲ୍, ମଣ୍ଡପ, ରୋଷେଇ ବ୍ୟବସ୍ଥା କରାଯିବ।ପ୍ୟାକେଜ୍ ବୁକ୍ ହେବା ପରେ ସେମାନଙ୍କ ପାଇଁ ଆଉ କିଛି କାମ ରହିବ ନାହିଁ। ଦୁଇ ଦିନ ବାହାଘର ପାଇଁ ପ୍ରାୟ ୨ ଲକ୍ଷ ୧୭ ହଜାର ୫ ଶହ
ଟଙ୍କାରୁ ଆରମ୍ଭ ହୋଇଛି। ସେଥିରେ ଯଦି ଆଉ ଅଧିକ କିଛି ଆଡ୍ କରିବାକୁ ଚାହିଁବେ ତାହେଲେ ସେହି ଅନୁସାରେ ଅତିରିକ୍ତ ଟଙ୍କା ଦେବେ।