ସମ୍ବଲପୁର, ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ମୋଟ୍ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଆଜି ପୂର୍ବାହ୍ନରେ ୪ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ଏବେ ମୋଟ୍ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି । ବନ୍ଧର ବାମ ପାର୍ଶ୍ଵ ଡାଇକ୍ ର ୬ଟି ଏବଂ ଡାହାଣ ପାର୍ଶ୍ଵ ଡାଇକ୍ ର ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୪ ହଜାର ୯୩୨ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହିପରି ୧୦ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୭ ହଜାର ୨୪୬ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ଆଜି ଦିନ ୧୨ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୨୮.୪୫ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଂଟାରେ ଜଳଭଣ୍ଡାରର ଉପର ମୁଣ୍ଡରେ ୧୦.୬୮ ମି.ମି. ଏବଂ ତଳ ମୁଣ୍ଡରେ ୦୧.୦୭ ମି.ମି. ବର୍ଷା ରେକର୍ଡ଼ ହୋଇଛି ।