ମାଲକାନଗିରି, ମାଲକାନଗିରି ପୌରପାଳିକା ତରଫରୁ ଗତକାଲି ଏକ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା କବିତା ମହନ୍ତ ଯୋଗଦାନ କରି ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ଜିଲ୍ଲା ଯୁବ ରେଡକ୍ରସ୍ ସମ୍ପାଦକ ଯୋଗଦାନ କରି ଆବର୍ଜନାକୁ ପରିଷ୍କାର କରି ଗୋଟିଏ ଜାଗାରେ ଜମା କରିବା ପାଇଁ କହିଥିଲେ। ଅପରିଷ୍କାର ରହିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ମାଲକାନଗିରି ପୌରପାଳିକା ସଫେଇ କର୍ମଚାରୀ ସମେତ ଜିଲ୍ଲା ଯୁବ ରେଡକ୍ରସ୍, ଜାତୀୟ ସେବା ସଂସ୍ଥା ଏବଂ ଏନ.ସି.ସି ସ୍ଵେଚ୍ଛାସେବୀଙ୍କ ମିଳିତ ଆନୁକୁଲ୍ୟରେ ପୌରପାଳିକା କାର୍ଯ୍ୟାଳୟ ଠାରୁ ବସଷ୍ଟାଣ୍ଡ ମଲ୍ଲିକେଶ୍ବରୀ ମନ୍ଦିର ଏବଂ ମାଲକାନଗିରି ମହାବିଦ୍ୟାଳୟ ନିକଟ ପର୍ଯ୍ୟନ୍ତ ୨୦୦ ରୁ ଉର୍ଦ୍ଧ ସ୍ଵେଚ୍ଛାସେବୀ ଆବର୍ଜନା ସଫା କରିବା ସହିତ ଅଦରକାରୀ ଗଛକୁ କାଟିବା ଏବଂ ଅପରିଷ୍କାର ଜାଗାରେ ବ୍ଲିଚିଙ୍ଗ ପକେଇବା ସହିତ ପ୍ଲାଷ୍ଟିକ ବୋତଲ, ଜରି ଇତ୍ୟାଦିକୁ ଏକାଠି କରିଥିଲେ। ପୌରପାଳିକା ଗାଡ଼ି ଏହି ଆବର୍ଜନା ଗୁଡ଼ିକୁ ଉଠାଇ ଅନ୍ୟତ୍ର ନେଇଯାଇଥିଲେ। ସ୍ଵଚ୍ଛତା ବିଶେଷଜ୍ଞ ଲିଙ୍ଗରାଜ ପାଳ ଯୋଗଦାନ କରି ଆଜିର ଦିବସରେ ତାତ୍ପର୍ଜ୍ୟ ବୁଝେଇବା ସହିତ ଏହି କାର୍ଯ୍ୟକ୍ରମକୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ପ୍ରେମ୍ ରେଖା ଭତ୍ରା, ପ୍ରମୀୟ କୁମାର ମହାନ୍ତି, ଗୌତମ ନାୟକ କଲେଜ ପାଚେରୀ ଏବଂ ସମ୍ମୁଖକୁ ସଫା କରିବା ପାଇଁ ସହାୟତା କରିଥିଲେ। ଆଗାମୀ ଦିନରେ ମାଲକାନଗିରିକୁ ସ୍ଵଚ୍ଛତା ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
ମାଲକାନଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସରକାରୀ ପଲିଟେକନିକ୍ ଏବଂ ସାଧାରଣ ଲୋକ ପୌରପାଳିକାର ସମସ୍ତ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ ।