-
“ଶତାନନ୍ଦ ଜ୍ୟୋର୍ତି ବିଜ୍ଞାନ କେନ୍ଦ୍ର ” ସଭାଗୃହରେ “ନିଶାକୁ ନା ର ବାର୍ଷିକ ଆଲୋଚନା ଚକ୍ର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀପୂର୍ବାହ୍ନ ୧୧ ଘଟିକା ସମୟରେ “ନିଶାକୁ ନା ର ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ଶୁଭାନନ୍ଦ ପୁରୀ ମହାରାଜଜୀ ପୌରହିତ୍ୟ କରିବାସହ ସମସ୍ତଙ୍କୁ ମାର୍ଗଦର୍ଶନ କରାଇ କହିଥିଲେ ଆମେ ଅଳ୍ପ ଅଳ୍ପ ପ୍ରଗତି କରୁ କରୁ ସମସ୍ତଙ୍କ ଅଲକ୍ଷରେ ଚମକପ୍ରଦ ସଫଳତା ହାସଲ କରିପାରିବା ତାହା କେହି ଭାବି ପାରିନଥିବେ । ଏହି ଦଳରେ ଦିନକୁ ଦିନ ସମଭାବାପନ୍ନ ସଦସ୍ୟମାନେ ଯୋଡି ହୋଇ ଚାଲିଛନ୍ତି । ସେମାନଙ୍କର ଉପଯୁକ୍ତ ଉପଯୋଗ କରିବାର ବିଭିନ୍ନ ଦିଗ ଓ ତାହାର ଉପାଦେୟତା ଉପରେ ଆଲୋଚନା କରିଥିଲେ । ସମସ୍ତ ସଦସ୍ୟ ମାନଙ୍କୁ ୪ଟି ଦଳରେ ବିଭକ୍ତକରି ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମ କଲେ ଏହା ଅଳ୍ପ ସମୟରେ ବ୍ୟାପକ ହୋଇ ଚମକପ୍ରଦ ଆଲୋଡ଼ନ ସୃଷ୍ଟି କରିପାରିବ । କାର୍ଯ୍ୟକ୍ରମ ସମୟରେ ବିଦ୍ୟାର୍ଥୀମାନଙ୍କୁ “ନିଶା କୁ ନା ” ବିଷୟବସ୍ତୁ ଆଧାରିତ ରଚନା , ଚିତ୍ରାଙ୍କନ,ବକୃତା ଓ ପ୍ରଶ୍ନ ଉତ୍ତର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିଲେ ସେମାନଙ୍କୁ ଏକ ପ୍ରତିଯୋଗିତା ଅବସ୍ଥାକୁ ଆଣି ହେବ । ଫଳରେ ବିଦ୍ୟାର୍ଥୀମାନେ ନିଜେ ନିଜେ ନିଶାର କୁ ପରିଣାମ ବିଷୟରେ ପଢିବେ , ଅନୁସନ୍ଧାନ କରିବେ , ବିଚାର କରିବେ ଓ ଭାବିବେ । ଏହା ସେମାନଙ୍କ ଜୀବନକୁ ପ୍ରଭାବିତ କରିପାରିବ । ଆଜିର ସାମାଜିକ ଗଣମାଧ୍ୟମ ଗୁଡିକର ଉପଯୋଗ ମଧ୍ୟ ବହୁତ ଫଳପ୍ରଦ ହୋଇପାରିବ ।ଯୁବ ସମାଜସେବୀ ଇଂଜିନିୟର ବଳରାମ ପଣ୍ଡା ନିଜ ଅଭିମତ ପ୍ରକାଶ କରିବାକୁ ଯାଇ କହିଥିଲେ କାର୍ଯ୍ୟକ୍ରମ କରିବା ଗୋଟିଏ କଥା ପ୍ରଭାବ ପକାଇବା ଅନ୍ୟ ଗୋଟିଏ କଥା । ଅନ୍ୟ ଦ୍ଵାରା ପ୍ରଭାବିତ ହୋଇ ଆସିଥିବା ବ୍ୟକ୍ତି ଅଧିକ ବାଟ ସାଥୀ ହୋଇ ଚାଲିପାରନ୍ତି ନାହିଁ । ଏହି ଦଳରେ ସଂପୃକ୍ତ ଅନେକ ସଦସ୍ୟଙ୍କ ଉଦାସୀନତା ପ୍ରତି ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମର ବିବରଣୀ, ଫଟୋ ଓ ମତାମତକୁ ଡକୁମେଣ୍ଟସନ୍ କରିବା । ଇଉଟ୍ୟୁବ୍ରେ ଛାଡିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ।ତପୋଭୂମି ଟ୍ରଷ୍ଟର ସାଂପାଦିକା ଚିତ୍ତରୂପା ଆପା କହିଥିଲେ ଗତ ଗାନ୍ଧୀ ଜୟନ୍ତୀରୁ ଆଜି ପର୍ଯ୍ୟନ୍ତ ଆମେ ପ୍ରାୟ ପାଞ୍ଚ ହଜାର ପିଲାଙ୍କ ପାଖରେ ପହଞ୍ଚି ସାରିଲୁଣି । ଏହା ଆମର ଏକ ବଡ଼ ଉପଲବ୍ଧି । ସେଥିରୁ ବଛା ବଛା କିଛି ପିଲାଙ୍କର ଏକ ଶିବିର ଆୟୋଜନ କରାଯାଇ ପାରିଲେ ସହାବସ୍ଥାନ ଓ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିଲେ ବିଦ୍ୟାର୍ଥୀମାନଙ୍କ ଆତ୍ମ ବିଶ୍ୱାସ ବଢିପାରିବ | ଡ଼ା ରାଧାଶ୍ୟାମ ବାବୁ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କ ସହ ମା’ମାନଙ୍କୁ ସାମିଲ୍ କଲେ ଅଧିକ ଫଳପ୍ରଦ ହୋଇପାରିବା ବୋଲି ମତ ଦେଇଥିଲେ । ସମସ୍ତଙ୍କର କାର୍ଯ୍ୟକ୍ରମ ପ୍ରତି ଅନୁରାଗ ରହିଥିବାରୁ ସାଧୁବାଦ ଜଣାଇଥିଲେ ।ଯୁବ ପ୍ରତିଭା ଜ୍ୟୋତି ରଞ୍ଜନ ବାବୁ ନିଶାରେ ବିପଥଗାମୀ ମଣିଷମାନଙ୍କ ପ୍ରତି ସମର୍ପିତ ମନୋଭାବ ନେଇ ସେବାର ଅନୁଭବ ଓ ସୁଫଳ କଥା ସମସ୍ତଙ୍କ ସହ ବାଣ୍ଟିଥିଲେ ।କବି ସତ୍ୟନାରାୟଣ ମିଶ୍ର ନିଜର କାବ୍ୟିକ ଅନୁଭବରେ ସମସ୍ତଙ୍କୁ ଆଲୋକିତ କରିଥିଲେ । ଏହି ଦଳର ଏକ ନାମ କରଣ କରାଯିବା ସହ ଖବରକାଗଜ ଓ ପତ୍ରପତ୍ରିକା ଆଦିରେ ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାରର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ ।ଶ୍ରୀଯୁକ୍ତ ନବଘନ ଶତପଥି ଭାଇନା ସ୍ନେହପୂର୍ଣ୍ଣ ପରାମର୍ଶ ପ୍ରଦାନ କରି କାର୍ଯ୍ୟକ୍ରମର ସୁପ୍ରଭାବ ବିଷୟରେ ଅବଗତ କରାଇଥିଲେ । ୪ଟିଦଳ ଗଠନ ହେଲେ ସେଥିରେ ଅଭିଜ୍ଞ ସଦସ୍ୟଙ୍କ ଉପସ୍ଥିତି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ବକ୍ତୃତା,କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ବାବୁ ସଂଗଠନର ଆର୍ଥିକ ଖର୍ଚ୍ଚର ଚାପ ଜଣଙ୍କ ଉପରେ ପଡୁଥିବାରୁ ଏ ବିଷୟରେ ସମସ୍ତେ ଚିନ୍ତା କରିବାପାଇଁ ପରାମର୍ଶ ଦେଇଥିଲେ । ଲମ୍ବା ଦୌଡ଼ ପାଇଁ ଅର୍ଥର ଆବଶ୍ୟକତା ରହିଥିବା କହିଥିଲେ । ପିଲାଙ୍କ ଉପରେ ଓ ଶିକ୍ଷକଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଅନୁଭବ କରିଥିଲେ |ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାମଦେବ ପ୍ରଧାନ ନିଜର ସୁନ୍ଦର ଅଭିମତ ପ୍ରକାଶ କରି କହିଥିଲେ ଆମେ ନିଶା ଛଡାଇବାକୁ ଚାହୁଁଛୁ ଅନ୍ୟମାନେ ନିଶା ବଢାଇବାକୁ ଚାହୁଁଛନ୍ତି ।ନିଶାକୁ ନା ର ପୋଷ୍ଟର ବିଦ୍ୟାଳୟରେ ମାରିବା ପାଇଁ ଗୁରୁତ୍ଵାରୋପ କରିଥିଲେ । ଶିକ୍ଷକଙ୍କୁ ନିଶାକୁ ନା କହିବା ପାଇଁ ପ୍ରେରିତ କରିବାର ଉପାଦେୟତା ଉପରେ କହିଥିଲେ |ପ୍ରଧାନ ଶିକ୍ଷକ ଶ୍ରୀସତ୍ୟବାଦୀ ଦାଶ,ଯୁବ ପ୍ରତିଭା ବିଶ୍ଵପ୍ରକାଶ ବାବୁ, ସମୀର ବାବୁ ଓ ପବିତ୍ର ବାବୁଙ୍କ ଶ୍ରଦ୍ଧା ଆଗ୍ରହ ସମସ୍ତଙ୍କୁ ଅଭିଭୂତ କରିଥିଲା । ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ମଧୁସୁଦନ ବାବୁଙ୍କ ତତ୍ତ୍ଵପୂର୍ଣ୍ଣ ମାର୍ଗ ଦର୍ଶନ ,ସୁଶ୍ରୀ ହରପ୍ରିୟା କର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଆଗ୍ରହ ଓ ଉତ୍ସାହକୁ ସମସ୍ତେ ସ୍ଵାଗତ କରିଥିଲେ । ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ପୂର୍ବତନ ପ୍ରଧାନଶିକ୍ଷକ ସମସ୍ତଙ୍କୁ ସ୍ଵାଗତ ସଂଭାଷଣ କରି ଆପଣାର କରିଥିଲେ । ଆଲୋଚ଼ନାର ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ । ସଂଗଠନର ବିଭିନ୍ନ ସଫଳତା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ସଫଳତା ଉପରେ ସନ୍ତୋଷ ପ୍ରକାଶ କରିବାକୁ ଯାଇ ବିଶ୍ୱପ୍ରସିଦ୍ଧ ମହାପୁରୁଷଙ୍କ ବାଣୀ one man’s perfection can change the world କଥା ମନେପକାଇଥିଲେ ।ଶ୍ରୀ ମନୋରଞ୍ଜନ ମିଶ୍ର ପ୍ରଧାନଶିକ୍ଷକ ସମସ୍ତଙ୍କ ପ୍ରୟାସକୁ ପ୍ରଣାମ ଜଣାଇଥିଲେ । ସ୍ୱାମୀ ଶୁଭାନନ୍ଦ ମହାରାଜଜୀଙ୍କ ଦିବ୍ୟ ଉପସ୍ଥିତି, ଅଜସ୍ର ଶୁଭକାମନା, ଅଭୁଲା ମାର୍ଗଦର୍ଶନ ପାଇଁ ସହସ୍ର ପ୍ରଣାମ ଜଣାଇଥିଲେ । ଡ଼. ସୂଧୀରା ପଣ୍ଡା , ନିର୍ଦ୍ଦେଶିକା ଶତାନନ୍ଦ ଜ୍ୟୋର୍ତିବିଜ୍ଞାନ ପ୍ରତିଷ୍ଠାନ, ତୁଳସୀ ଚଉରା,ପୁରୀ ଙ୍କ ସହଯୋଗ ଓ ଶୁଭେଛା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।