
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ କାଳିବୋରେଇ ଗ୍ରାମର ଅନୁସୂଚିତ ଜନଜାତିର ୧୩ ପରିବାର ଅନ୍ୟ ଧର୍ମାବଲମ୍ବୀ ହୋଇଥିବାରୁ ସେମାନଙ୍କୁ ଜାତିରୁ ବାସନ୍ଦ କରାଯିବା ସହ ଗ୍ରାମରୁ ଅଲଗା କରାଯାଇଥିବାରୁ ଏହି ପୀଡ଼ିତ ପରିବାରର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ।
ସେମାନଙ୍କର ଅଭିଯୋଗ ପ୍ରକାରେ, ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରୁଛନ୍ତି । ହେଲେ ଧର୍ମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଛି । ଗୋଟିଏ ଗୋଷ୍ଠିର କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ଗୋଷ୍ଠିର ୧୩ ପରିବାରଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ସେମାନଙ୍କୁ ଗ୍ରାମରୁ ତଡ଼ିବା ବନ୍ଦୋବସ୍ତ କରୁଛନ୍ତି । ଫଳରେ ଏହି ୧୩ ପରିବାର ଭୟଭିତ ଅବସ୍ଥାରେ ଜୀବନ କାଟୁଥିବା ଅଭିଯୋଗ କରିଛନ୍ତି । ଏହି ପରିବାର ଲୋକ ଗଞ୍ଜାମ ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ଏସପି ଜଗମୋହନ ମୀନା ସେମାନଙ୍କ ଅଭିଯୋଗ ଶୁଣିବା ପରେ ପାଟପୁର ଥାନା ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଥାନା ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଆସୁଥିବାରୁ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ୍ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।