
ଧର୍ମଶାଳା, ବାପପୁଅଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମରେ । ଏହି ଆକ୍ରମଣରେ ଯୁଧିଷ୍ଠୀର ସାମଲଙ୍କ ପତ୍ନୀ ସରସ୍ଵତୀ (୬୨) ଗୁରୁତର ଆହତ ହୋଇଛନ୍ତି ।
ଅଭିଯୋଗ ମୁତାବକ, ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମରେ ଜମିବାଡି ବିବାଦକୁ ନେଇ ଦୀର୍ଘ ଦିନ ଧରି ଯୁଧିଷ୍ଠୀର ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ପରିବାର ମଧ୍ୟ ତିକ୍ତତା ଲାଗି ରହିଥିଲା । ଏହି ଘଟଣାକୁ ନେଇ ପୂର୍ବରୁ ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ମଧ୍ୟ କେହି ଭଦ୍ର ଲୋକଙ୍କ କଥାକୁ ଗୁରୁତ୍ଵ ଦେଇ ନଥିଲେ । ଫଳରେ ଆଜି ସକାଳେ ଯୁଧିଷ୍ଠୀରଙ୍କ ଘର ପାଖରେ ପ୍ରଫୁଲ୍ଲ ସାମଲ ଆସି ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଯୁଧିଷ୍ଠୀର ଓ ତାଙ୍କ ପତ୍ନୀ ସରସ୍ଵତୀ ଘରୁ ବାହାରକୁ ଆସିଥିଲେ । ସେମାନେ ବାହାରକୁ ଆସିବା ପରେ ପ୍ରଫୁଲ୍ଲ ଏବଂ ପୁଅ ପିଂଟୁ (୧୫) ସେମାନଙ୍କ ଉପରକୁ ଟେକା ପଥର ଫୋପାଡି ଥିଲେ । ଏହି ଆକ୍ରମଣରେ ସରସ୍ଵତୀଙ୍କ ମୁଣ୍ଡ ଫାଟି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବ୍ରହ୍ମବରଦା ଥାନାକୁ ଆଣିଥିଲେ । ସେଠାରୁ ପୋଲିସ ଗାଡିରେ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ନେଆଯାଇଥିଲା । ସେଠାରେ ସରସ୍ଵତୀ ଚିକିତ୍ସିତ ହୋଇ ଥାନାରେ ପଂହଚି ବାପପୁଅଙ୍କ ନାମରେ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ଏତଲାକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି ।