
-
ମହାପ୍ରଭୁଙ୍କୁ ଉପାସ ରଖି ଭକ୍ତଙ୍କ ଭାବାବେଗ ସହିତ ଖେଳ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ |ପୁଷ୍ପଳକ ନିଯୋଗ ତରଫରୁ ମହାପ୍ରଭୁଙ୍କ ସେବାରୁ ନିବୃତ ସତ୍ତ୍ୱେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜନକୁ ନେଇ ବିରୋଧ ଦେଖାଦେଇଥିଲା |ସୂଚନା ଅନୁସାରେ ଶଙ୍ଖମିତ୍ର ସିଂହାରୀ ରତ୍ନାସିଂହାସନରେ ମହାପ୍ରଭୁଙ୍କ ସେବା କରୁଥିବା ବେଳେ ହଠାତ ପ୍ରଶାସନ ତରଫରୁ ତାଙ୍କୁ ସିଂହାସନରୁ ଓଲ୍ହାଇ ଆସିବା ପାଇଁ ସେବାୟତ ମାନଙ୍କ ଦ୍ୱାରା କୁହାଯାଇଥିଲା |ସିଂହାରି ସେବକଙ୍କ ସେବାକୁ ନେଇ ଅସନ୍ତୋଷ ବଢିଥିଲା ଏବଂ ନୀତିକାନ୍ତି ଆଗକୁ ବଢ଼ି ନଥିଲା |ମଙ୍ଗଳ ଆଳତୀ ପରେ ଦିନ ଦୁଇଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ସ୍ଥଗିତ ରହିଥିଲା |ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ |ବିବାଦର ସମାଧାନ ପରେ ନୀତି ଆଗକୁ ବଢିଥିଲା |ଏଭଳି ଭାବେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୀର୍ଘ ସମୟ ଧରି ଉପାସ ରଖି ଭକ୍ତ ଙ୍କ ଭାବାବେଗ ସହିତ ଖେଳିବାକୁ ସାଧାରଣରେ ନିନ୍ଦା କରାଯାଇଛି |ସେହିପରି ଆଗରୁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଉପୁଜିଥିଲା | ରଥଯାତ୍ରା ସମୟରେ ଜେଟିପି ଏବଂ ଚର୍ଚ୍ଚାଙ୍କୁ ପୋଲିସ ଛାଡି ନଥିବାରୁ ରଥଯାତ୍ରା ସମୟରେ ମହାପ୍ରଭୁ ଦୀର୍ଘ ସମୟ ଧରି ଉପାସ ରହିଥିଲେ | ପ୍ରଶାସନିକ ଅବହେଳା ପାଇଁ ଅନେକ ସମୟରେ ଏଭଳି ଘଟଣା ଘଟି ଆସୁଛି |ଓଡିଶାର ପରିଚୟ ପ୍ରଭୁ ଶ୍ରୀଜଗନ୍ନାଥ ସାଢେ ଚାରି କୋଟି ଓଡିଆଙ୍କ ମଉଡମଣୀ ଉପାସ ରହିଥିଲେ ଏହା ସମସ୍ତଙ୍କ ମନରେ କଷ୍ଟ ଦେଇଛି |ନିଜ ନିଜର ଅହଂକାର ବଜାୟ ରଖିବା ପାଇଁ ମହାପ୍ରଭୁଙ୍କୁ ଉପାସ ରଖିବା କିମ୍ବା ନୀତିକାନ୍ତିରେ ବିଳମ୍ବ କରିବା ପରି ମନମାନି ନିନ୍ଦନୀୟ |ଏଥି ପ୍ରତି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ମାନେ ସଚେତନ ହେବା ଆବଶ୍ୟକ ରହିଛି ବୋଲି ବିଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି |