
ଜୟପୁର, ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଟିପି ଡ୍ୟାମର ଗେଟ୍ ଭାଙ୍ଗିବା ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। ଲଗାଣ ବର୍ଷା ଯୋଗୁଁ ଆରମ୍ଭ ହୋଇପାରୁନି ମରାମତି କାର୍ଯ୍ୟ। ବନ୍ଦ ରହିଛି ବିଦ୍ୟୁତ୍ ଉତ୍ପାଦନ । ଫଳରେ ଉଭୟ ଓଡ଼ିଶା ଆନ୍ଧ୍ର ସରକାରଙ୍କୁ ଦିନକୁ ଏକ କୋଟି ଟଙ୍କାର ରାଜସ୍ଵ କ୍ଷତି ସହିବାକୁ ପଡୁଛି। ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପର ଟିପି ଡ୍ୟାମ ଗେଟ ମରାମତି ପାଇଁ ଡି-ଡ୍ୟାମ ଦୁଇଟି ପାୱାର ଗେଟ କୁ ବନ୍ଦ କରି ପାଣି ନିଷ୍କାସନ ରଖିବାକୁ ଚେଷ୍ଟା କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇଟି ଗେଟ୍ ଅଧରେ ଅଟକି ଯାଇଛି । ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନଥିବାରୁ ଜଳ ନିଷ୍କାସନ ଜାରି ରହିଛି । ମରାମତି କାର୍ଯ୍ୟ ଆରମ୍ଭ ହୋଇପାରୁନି । ସେପଟେ ଜଲାପୁଟ ମୁଖ୍ୟ ଜଳଭଣ୍ଡାରରୁ ପ୍ରକଳ୍ପକୁ ଯାଉଥିବା ପାଣି ବନ୍ଦ କରାଯାଇଛି । ୪୮ ଘଣ୍ଟା ଧରି ପ୍ରକଳ୍ପ ବନ୍ଦ ହେବାରୁ ଉଭୟ ଓଡ଼ିଶା ଆନ୍ଧ୍ର ସରକାର ଦିନକୁ ୨.୮ ମିଲେନିୟମ ୟୁନିଟ ବିଦ୍ୟୁତ୍ କ୍ଷତି ସହୁଛନ୍ତି। ଏଥିଯୋଗୁଁ କୋଟିଏରୁ ଅଧିକ ଟଙ୍କା ରାଜସ୍ଵ କ୍ଷତି ହୋଇଥିବା ମାଛକୁଣ୍ଡ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ବି. ସୁବ୍ରମଣ୍ୟମ ରାଓ କହିଛନ୍ତି।ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ୭୫ ବର୍ଷରୁ ଅଧିକ ପୁରୁଣା ଏହି ପ୍ରକଳ୍ପରେ ନୂତନ ଯନ୍ତ୍ରାଂଶ ଲଗାଯିବା କଥା। ଅଥଚ ସବୁବେଳେ ମରାମତି କରାଯାଇ କାମ ଚଳା ଯାଉଛି । ଏହି କାରଣରୁ ଅନେକ ସମୟରେ ଅଘଟଣ ଘଟୁଛି। ଟିପି ଡ୍ୟାମ ର ପାଣି କେବେ ଖୋଲା ହେବ କେବେ ଗେଟ୍ ମରାମତି ହେବ ତାକୁ ନେଇ କୌଣସି ପଦାଧିକାରୀ ସ୍ପଷ୍ଟ ସୂଚନା ଦେଇ ପାରୁନାହାନ୍ତି। ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରକଳ୍ପ ଯନ୍ତ୍ରୀ ମାନେ ଉଦ୍ୟମ ଜାରି ରଖିଛନ୍ତି। ଲଗାଣ ବର୍ଷା ଏହି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।