
ଜୟପୁର, ହରଡାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ଵିନୀ ଗାଧବାଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଏହି ମାମଲାରେ ସେବାଶ୍ରମ କତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ । ବୋରିଗୁମ୍ମା ପୁଲିସ ଏନେଇ ମାମଲା ରୁଜୁ କରିଥିଲା । ଏହାରି ମଧ୍ୟରେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ଥାନା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ପ୍ରମୁଖ ପୃଥକ ପୃଥକ ଭାବେ ତଦନ୍ତ କରିଥିଲେ । ଏବେ ମୃତ ତପସ୍ଵିନୀଙ୍କ ସାଙ୍ଗର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଦିବାସୀ ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ବାଳିକା ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀ ତପସ୍ଵିନୀ ଗତ ୧୨ ତାରିଖ ଦିନ ଗୁରୁତର ହୋଇଥିଲେ । ତାଙ୍କୁ ରାବଣାଗୁଡା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଚିକିତ୍ସା କରିଥିବା ଡାକ୍ତର ଜଣକ ଗ୍ୟାସର ସମସ୍ୟା ହୋଇଥିବା କହି ଔଷଧ ଦେଇ ଫେରାଇ ଦେଇଥିଲେ । ମୃତା ଛାତ୍ରୀ ଜଣକ ସେହି ଦିନ ରାତିରେ ବାନ୍ତି କରିଥିଲେ । ଏହା ପରେ ରାତି ଦୁଇଟା ବେଳେ ତପସ୍ଵିନୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ । ତପସ୍ଵିନୀ ହନ୍ତସନ୍ତ ହେବା ଦେଖି ତା ସାଙ୍ଗ ସେବାଶ୍ରମରେ ରହୁଥିବା ମାଟ୍ରୋନଙ୍କୁ ସୂଚନା ଦେଇଥିଲେ । ତେବେ ମାଟ୍ରୋନ ଗୁରୁତ୍ଵ ର ସହ ନେଇ ନଥିଲେ । ପୁଣି ସକାଳୁ କହିବା ପରେ ସେ ଖେଳ ଶିକ୍ଷୟତ୍ରୀ ଡାକ୍ତରଖାନାକୁ ନେବେ ବୋଲି କହିଥିଲେ । ଅଟୋ ଡାକି ଡାକ୍ତରଖାନାକୁ ନେବା ସମୟରେ ତପସ୍ଵିନୀର ମୃତ୍ୟୁ ହୋଇଥିଲା । ପୂର୍ବରୁ ଯଦି ତପସ୍ଵିନୀଙ୍କୁ ଡାକ୍ତରଖାନାକୁ ନେଇଥିଲେ ସେ ବଂଚି ଯାଇଥାନ୍ତା ବୋଲି ଛାତ୍ରୀ ଜଣକ ବାହୁନି ବାହୁନି କାନ୍ଦି କାନ୍ଦି କହୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲଛି । ଏହି ଭିଡିଓ ଦେଖିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି । ଏହି ଭାଇରାଲ ଭିଡିଓ ସଂପୁର୍ଣ୍ଣ ରୁପେ ମାଟ୍ରୋନର ଭୁଲ ରହିଥିବା ଦର୍ଶାଉଛି । ଏହାକୁ ନେଇ ମାଟ୍ରୋନକୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିବେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ଅପରପକ୍ଷରେ ପୂର୍ବରୁ କରାଯାଇଥିବା ତଦନ୍ତର ରିପୋର୍ଟ ସେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଏବଂ ଏହି ରିପୋର୍ଟ ଗୁପ୍ତ ରହିଥିବାରୁ ସୂଚନା ଦେଇହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଏତଲା କ୍ରମେ ବୋରିଗୁମ୍ମା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତ ଛାତ୍ରୀଙ୍କ ବାପା କୃଷ୍ଣ ଗାଧବାଙ୍କ ଏତଲା କ୍ରମେ ହତ୍ୟା ସଂଦେହରେ ଦଫା ୩୦୨ରେ ଆଉ ଗୋଟିଏ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ଯୁଗୋଳ କିଶୋର ସା । ତେବେ ଶବବ୍ୟବଛେଦ ରିପୋର୍ଟ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହା ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।