ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର (ଓସେପା)ର ସମ୍ମିଳନୀ କକ୍ଷରେ ଗତକାଲି ଓଡ଼ିଶାର ବିଭିନ୍ନ ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ ଦିଆଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନୂତନ ଭାବରେ ଯୋଗ ଦେଇଥିବା ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ଓସେପାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଶ୍ରୀ ସାହା ସମସ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଷ୍ଠାର ସହିତ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା, ଓସେପା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟାବଳୀ ଉପରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ବିଭିନ୍ନ ପଦାଧିକାରୀମାନେ ପରିଚାଳନା କରିଥିଲେ । ଆଲୋଚନା ସମୟରେ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଦାନ କରିଥିଲେ ।
ଏହି ଅବସରରେ ଶିକ୍ଷକ ପ୍ରଶିକ୍ଷକମାନେ ଓସେପା କାର୍ଯ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ପରିଶେଷରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।