ଭୁବନେଶ୍ୱର,ରେଳବାଇ କୁଲିମାନଙ୍କୁ ପୂର୍ବଭଳି ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ବିଶ୍ରାମ ଗୃହ, ପାର୍ଶଲ କାମ ଓ ବର୍ଷକୁ ୨ହଳ ବ୍ୟାଜ୍ ପୋଷାକ ଯୋଗାଇଦେବା ଏବଂ କ୍ରମଶଃ ଗ୍ୟାଙ୍ଗମ୍ୟାନକୁ ପଦୋନ୍ନତିର ବ୍ୟବସ୍ଥା ସହିତ ପ୍ରତ୍ୟେକ କୁଲିଙ୍କୁ ପ୍ରତୀକାତ୍ମକ ମାସିକ ଦରମା ଓ ଇପିଏଫ ସୁବିଧା, ସ୍ୱାସ୍ଥ୍ୟବୀମା ଓ ସେମାନଙ୍କ ପରିବାର ବର୍ଗଙ୍କୁ ରେଳବାଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଦାବିରେ ଆଜି ଏଆଇଟିୟୁସି ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଲୱେ ପୋର୍ଟରସ୍ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସଙ୍ଗେ ସଙ୍ଗେ ରେଳବାଇ ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୁବନେଶ୍ୱର ରେଳଷ୍ଟେସନର ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନର ସମସ୍ତ କୁଲି ଷ୍ଟେସନ ସମ୍ମୁଖରେ ଥିବା କୁଲି ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପ୍ଲାଟଫର୍ମ ପରିକ୍ରମା ପୂର୍ବକ ଷ୍ଟେସନ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ପୋର୍ଟରସ୍ ୟୁନିୟନର କାର୍ଯ୍ୟକାରୀ ସଭାପତି ସୁର ଜେନା ଓ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଉଦ୍ବୋଧନ ଦେଇ ଇଂରେଜ ଅମଳରୁ ରେଳବାଇର ପ୍ରତିଷ୍ଠା ଦିନଠାରୁ କୁଲିମାନେ ରେଳବାଇର ଅନ୍ୟତମ ପ୍ରତୀକ ଭାବେ ବିବେଚିତ ହୋଇଆସୁଥିଲେ ସୁଦ୍ଧା ସେମାନେ ଚରମ ଅବହେଳାର ଶିକାର ହେଉଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଏହାପରେ ଏହି ଦୁଇ ନେତାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଷ୍ଟେସନ ମ୍ୟାନେଜରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ସେ ତାଙ୍କ କ୍ଷମତା ପରିସର ମଧ୍ୟରେ ଦାବି ପୂରଣ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିକେଏମ୍ୟୁର ସହ ସମ୍ପାଦକ ଶଙ୍କର ବାରିକ, ପୋର୍ଟରସ୍ ୟୁନିୟନର ସାଧାରଣ ସମ୍ପାଦକ ଶିବ ବେହେରା, ଗନ୍ଧର୍ବ ବେହେରା, ସୁବାସ ପାତ୍ର, ପଂଚାନନ ସାହୁ, ବଳରାମ ଜାଲି, ଗଉରା ଜାଲି ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।