ଭୁବନେଶ୍ୱର, ସାମ୍ବାଦିକମାନେ ନିର୍ଭୀକ, ସତ୍ୟନୀଷ୍ଠ ଓ କର୍ତବ୍ୟପରାୟଣ ହେବା ଆବଶ୍ୟକ । ଜଣେ ଭଲ ମଣିଷ ନହେଲେ ସେ କେବେ ଭଲ ସାମ୍ବାଦିକଟିଏ ହୋଇପାରିବ ନାହିଁ ବୋଲି ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ଼ର ସଦସ୍ୟ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଛନ୍ତି । ଶୁକ୍ରବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ପତ୍ରକାର ସଂଘର ୧୪ତମ ପ୍ରତିଷ୍ଠା ଦିବସରେ ଉଦ୍ଘାଟକ ଭାବେ ଯୋଗଦେଇ ଡଃ ପାଟ୍ଟଶାଣୀ କହିଥିଲେ ଯେ, ପୂର୍ବାପେକ୍ଷା ଏବେ ସାମ୍ବାଦିକମାନଙ୍କ ଉପରେ ଜୁଲମ ବଢିଛି, ଆଗେ ତାହା ନଥିଲା । ସାମ୍ବାଦିକମାନେ ବି ସେମାନଙ୍କ କର୍ତବ୍ୟ ଭୁଲିଗଲେଣି । ଗବେଷଣା ଓ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ ଆଉ ପୂର୍ବଭଳି ନାହିଁ । ଏଥିପ୍ରତି ସାମ୍ବାଦିକ ବନ୍ଧୁମାନେ ଧ୍ୟାନ ଦେବା ଆବଶ୍ୟକ ।
ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗଦେଇ କହିଥିଲେ ଯେ, ରାଜ୍ୟର କୋଣ ଅନୁକୋଣର କଥାକୁ ସାମ୍ବାଦିକମାନେ ସେମାନଙ୍କ ସମ୍ବାଦପତ୍ର ମାଧ୍ୟମରେ ପ୍ରକାଶ କରି ସରକାରଙ୍କୁ ଦିଗ୍ଦର୍ଶନ ଦିଅନ୍ତି । ହେଲେ ବହୁ ସାମ୍ବାଦିକ ଅଭାବ, ଅନାଟନ ମଧ୍ୟରେ ରହିଛନ୍ତି । ସେମାନେ କିଭଳି କାର୍ଯ୍ୟ କରିବେ । ତେଣୁ ସମ୍ବାଦ ପରିବେଷଣ କ୍ଷେତ୍ରରେ ସେମାନେ ବି ଅସୁବିଧା ହେଉଛନ୍ତି । ଓଡ଼ିଶା ପତ୍ରକାର ସଂଘ ସାମ୍ବାଦିକଙ୍କର ସମସ୍ୟା ବୁଝିବା ଆବଶ୍ୟକ । ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ କୁମରବର ଦାସ ଯୋଗଦେଇ ଦୁର୍ନୀତିକୁ ରୋକିବାକୁ ହେଲେ ନିର୍ଭୀକତାର ସହିତ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ କହିଥିଲେ ଯେ, ସାମ୍ବାଦିକମାନେ କର୍ତ୍ତବ୍ୟନୀଷ୍ଠ ଭାବେ କାର୍ଯ୍ୟ କଲେ ସମାଜର ବିକାଶ ହୋଇପାରିବ । ସାମ୍ବାଦିକଙ୍କର ଅନେକ ସମସ୍ୟା ରହିଛି, ତାହା ସରକାର ବିଚାର କରିବା ଆବଶ୍ୟକ ।
ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହ ସାମ୍ବାଦିକଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ଉପରେ ମତ ରଖିଥିଲେ । ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜିର ସାମ୍ବାଦିକତା ଭିନ୍ନ ଭିନ୍ନ ହୋଇଗଲାଣି । ସାମ୍ବାଦିକମାନଙ୍କ ଭିତରେ ଏକତା ଅଭାବରୁ ଆମେ ଅନେକ ସମସ୍ୟା ଭୋଗିବା ସହ ଅବହେଳିତ ଅବସ୍ଥାରେ ଅଛୁ । ତେଣୁ ସେବା ହିଁ ଧର୍ମ ଭାବେ ଗ୍ରହଣ କରି କାର୍ଯ୍ୟ କରିବା ସହ ସମ୍ବାଦିକ ଏକ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶା ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁ ଅଧ୍ୟକ୍ଷତା କରିବା ସହ ସାମ୍ବାଦିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ସମ୍ପାଦକୀୟ ବିବରଣୀ ସହ ରାଜ୍ୟରେ ସାମ୍ବାଦିକମାନେ କିଭଳି ଅବହେଳିତ ଅବସ୍ଥାରେ ରହିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ । ସଂଘର ଉପସଭାପତି ହରପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସଭାରେ ସାମ୍ବାଦିକତା, ଶିକ୍ଷାବିତ୍, ସମାଜସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୮ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବରଗଡ଼, ବୌଦ୍ଧ, ଖୋର୍ଦ୍ଧା, ସୋନପୁର, ବଲାଙ୍ଗୀର ଜିଲ୍ଲାର ବହୁ ସାମ୍ବାଦିକ ଏହି ଅବସରରେ ଓଡ଼ିଶା ପତ୍ରକାର ସଂଘରେ ଯୋଗ ଦେଇଥିଲେ ।