ଶିମଲା,ଶିମଲାରେ ଭୂସ୍ଖଳନ ଯୋଗୁ ଶିବ ମନ୍ଦିର ମାଟି ତଳେ ପୋତି ହେବା ଘଟଣା । ଆଜି ପ୍ରିୟଙ୍କା ଗାନ୍ଧି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । କୁଲ୍ଲୁ ଓ ମଣ୍ଡି ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ଶିମଲା ଉପନଗର ସମରହିଲ ସ୍ଥିତ ଶିବ ବାଭଡୀ ମନ୍ଦିରରେ ହୋଇଥିବା ବିପର୍ଯ୍ୟୟର ଅନୁଧ୍ୟାନ କରିଛନ୍ତି ।
ବୁଧବାର ପୂର୍ବାହ୍ନ ପ୍ରାୟ 10ଟା ସମୟରେ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହଙ୍କ ସହ ଶିମଲାରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରିୟଙ୍କା ମାଟି ତଳେ ପୋତି ହୋଇଯାଇଥିବା ଶିବ ମନ୍ଦିରର ଅନୁଧ୍ୟାନ କରିବା ସହ ଏହା ବହୁତ ବଡ ଦୁର୍ଘଟଣା ବୋଲି କହିଛନ୍ତି । ହିମାଚଳ ପ୍ରଦେଶରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘରଦ୍ୱାର ଭାସିଯାଇଛି । ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାର ରାଜନୀତିକରଣ ହେବା ଅନୁଚିତ ବୋଲି ପ୍ରିୟଙ୍କା କହିଛନ୍ତି ।
ପ୍ରିୟଙ୍କା ଗାନ୍ଧି କହିଛନ୍ତି ବିପର୍ଯ୍ୟୟ ସମୟରେ ସମସ୍ତ ଏକଜୁଟ ହୋଇ କାମ କରିବା ଉଚିତ । ରାଜ୍ୟର ଲୋକଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବା ଉଚିତ । ଏଠାରେ ବିଜେପି ସରକାର କି କଂଗ୍ରେସ ସରକାର କେନ୍ଦ୍ର ସହାୟତା ପ୍ରଦାନ ବେଳେ ଦେଖିବା ଅନୁଚିତ ବୋଲି ପ୍ରିୟଙ୍କା କହିଛନ୍ତି ।