ଭୁବନେଶ୍ୱର, ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁୁ ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ।
ବିଶ୍ୱେଶ୍ୱର ଟୁଡୁ
ସୌମ୍ୟଙ୍କୁ ଉପସଭାପତି ପଦରୁ ବିଦା ପରେ ବିଜେଡିକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସେ କହିଛନ୍ତି ସୌମ୍ୟ ପଟ୍ଟନାୟକ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କଣ ହେବ । ସେ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ ।
ମାନସ ମଙ୍ଗରାଜ
ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଦଳ ଭିତରେ ରହି ଦଳ ବିରୋଧରେ କହିବା ଠିକ୍ ନୁହେଁ । ସୌମ୍ୟ କଂଗ୍ରେସ ଓ ବିଜେପିରେ ଥିବା ବେଳେ ଏପରି କରୁଥିଲେ । ତାଙ୍କ ବିଷୟରେ ଦଳ ଠିକ୍ ସମୟରେ ଠିକ୍ ନିଷ୍ପତି ନେବ ।
ବିଜୟ ମହାପାତ୍ର
ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇବା ଉପରେ ପ୍ରତିକ୍ରିୟା ଦେଇ ବିଜୟ ମହାପାତ୍ର କହିଛନ୍ତି ଆଗରୁ କାରଣ ଦର୍ଶାଅ ମାଗି କାର୍ଯ୍ୟାନୁଷ୍ଠାନ ହେଉଥିଲା । ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ । ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ । ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ । ଏମିତି କେତେ ଅଘଟଣ ଆଗକୁ ଘଟିବ ।
ପ୍ରଣବ ପ୍ରକାଶ ଦାସ
ଏକ୍ସରେ ମନ୍ତବ୍ୟ ଦେଇ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି ।
ନିରଂଜନ ପଟ୍ଟନାୟକ
ସୌମ୍ୟ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି କାର୍ଯ୍ୟାନୁଷ୍ଠାନ ହେଉଛି ଦଳୀୟ ପରିଚାଳନା ପଦ୍ଧତି ।ନବୀନ ପଦବୀ ଦେଇଥିଲେ, ପୁଣି ବାହାର କଲେ । ବିଜେଡି ବିଚାର କରିବ, ସେ ଠିକ୍ ନା ଭୁଲ୍ ।କଂଗ୍ରେସ ଦଳରେ କିନ୍ତୁ ଏଭଳି ମନମୁଖି କାରବାର ଚାଲେନି । କିଏ ଠିକ୍, କିଏ ଭୁଲ୍ ଲୋକେ ବିଚାର କରିବେ ।