-
ଜଙ୍କିଆ ଥାନାରେ ଏସ୍ଆଇଙ୍କ ଦବଙ୍ଗଗିରି,ୱାର୍ଡ ଓ ସମିତି ସଭ୍ୟଙ୍କୁ ମାଡ଼ ମାରିବା ଘଟଣା ମହଙ୍ଗା ପଡ଼ିଲା,ନିଲମ୍ବିତ ହେଲେ ଏସ୍ଆଇ।
ଖୋର୍ଦ୍ଧା,ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ପୁଲିସର ଦବଙ୍ଗଗିରି। ଏଭଳି ଦବଙ୍ଗଗିରି ଦେଖବାକୁ ମିଳିଛି ଜଙ୍କିଆ ଥାନାର ଜଣେ ସବ ଇନ୍ସପେକ୍ଟର ଙ୍କ ପକ୍ଷେ।ତେବେ ଥାନାକୁ ଜଣେ ସମ୍ପର୍କୀୟ ଙ୍କ ସହିତ ଯାଇଥିଲେ ଜନୈକ ୱାର୍ଡସଭ୍ୟ । ତାଙ୍କୁ ପଛରୁ ଡାକିଥିଲେ ଜଙ୍କିଆ ଥାନାର ଏଏସ୍ଆଇ ନିରଞ୍ଜନ ମହାନ୍ତି। ୱାର୍ଡସଭ୍ୟ ଜଣକ ନଶୁଣିବାରୁ ମଦ୍ୟପ ଏଏସ୍ଆଇ ଜଣକ ତାଙ୍କ ମୁଣ୍ଡକୁ ପଥରରେ ଛେଚି କଣା କରିଦେଇଥିଲେ। ଏହାର ପ୍ରତିବାଦ କରିବାରୁ ଅନ୍ୟଜଣେ ସମିତି ସଭ୍ୟଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଭିଯୁକ୍ତ ଏସ୍ଆଇଙ୍କ ନିଲମ୍ବିନ କରିଥିଲେ।
ସୂଚନାନୁସାରେ, ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ (୫୨)ଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ। ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ସମ୍ପର୍କୀୟଙ୍କ ପଛେପଛେ ନବକିଶୋର ମଧ୍ୟ ଥାନାକୁ ଆସିଥିଲେ। ଥାନାରେ ଆଇଆଇସି ନଥିବାରୁ ନବକିଶୋର ଥାନାରୁ ବାହାରି ଆସି ବାହାରେ ଫୋନ୍ରେ କଥା ହେଉଥିଲେ। ଏହି ସମୟରେ ଥାନା ଦାୟିତ୍ବରେ ଥିବା ଏସ୍ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ। ତେବେ ସେ ଫୋନ୍ରେ କଥା ହେଉଥିବାରୁ ଏସ୍ଆଇଙ୍କ ଡାକ ଶୁଣିପାରିନଥିଲେ। ଫଳରେ ଏସ୍ଆଇ ଉତ୍କ୍ଷୀପ୍ତ ହୋଇ ପ୍ରଥମେ ତାଙ୍କ ଉପରକୁ ଏକ ଟେକା ଫିଙ୍ଗିଥିଲେ। ଏହା ନବକିଶୋରଙ୍କ ଦେହରେ ନବାଜିବାରୁ ନିକଟକୁ ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ଆଉ ଏକ ପଥର ଉଠାଇ ମୁଣ୍ଡକୁ ଛେଚି ଦେଇଥିଲେ। ଏଥିରେ ନବକିଶୋରଙ୍କ ମୁଣ୍ଡ ଫାଟିଯାଇଥିଲେ। ଭୟରେ ନବକିଶୋର ସେଠାରୁ ଚାଲିଯାଉଥିବା ସମୟରେ ପଛରୁ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଟଣାଓଟରା କରିବା ସହ ଆହୁରି ମାଡ଼ ମାରିଥିଲେ। ଏହି ସମୟରେ ସେଠାରେ ଥିବା ଅନ୍ୟଜଣେ ସମିତି ସଭ୍ୟ ଈଶ୍ବର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।ଏପରିକି ଅଶ୍ଳୀଳ ଭାଷା ପ୍ରୟୋଗ କରି ଈଶ୍ବରଙ୍କୁ ଅତର୍କିତ ଭାବେ ମାଡ଼ ମାରିଥିଲେ। ପରେ ଆହତ ଅବସ୍ଥାରେ ନବକିଶୋରଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା। ଘଟଣା ସମ୍ପର୍କରେ ଶୁଣି ଜଙ୍କିଆ ସରପଞ୍ଚ ପଙ୍କଜିନୀ ବଳବନ୍ତରାୟ, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସହ ସ୍ଥାନୀୟ ବାସିନ୍ଦା ଥାନାରେ ପହଞ୍ଚି ଏଏସ୍ଆଇଙ୍କ ଏଭଳି କାଣ୍ଡର ତୀବ୍ର ପ୍ରତିବାଦ କରିଥିଲେ। ସୂଚନା ପାଇ ଥାନାର ଭାରପ୍ରାପ୍ତ ଅଧିକାରିଣୀ ପ୍ରଜ୍ଞାଋତୁମ୍ଭରା କର ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାସୁଝା କରିଥିଲେ। ଏଏସ୍ଆଇଙ୍କ ବିରୋଧରେ ଆହତ ୱାର୍ଡ ସଭ୍ୟ ନବ କିଶୋରଙ୍କ ପତ୍ନୀ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲୀପ କୁମାର ଦାସ କହିଛନ୍ତି ଯେ ଏସ୍ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୁଲିସ ବିଭାଗରେ ଲୋକଙ୍କ ପ୍ରତି ଏଭଳି ବ୍ୟବହାରକୁ କୌଣସି ମତେ ବରଦାସ୍ତ କରାଯିବନାହିଁ।