ପୁରୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ । କାଳୀୟଦଳନର ଅନ୍ୟାନ୍ୟ ନୀତି ମାର୍କଣ୍ଡ ପୁଷ୍କରିଣୀ ନିକଟରେ ପାଳନ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବେ । ଏହାପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ ବନ୍ଦାପନା ଶୀତଳ ଭୋଗ ଆଦି ନୀତି ସମ୍ପନ୍ନ ପରେ ମାର୍କଣ୍ଡ ପୁଷ୍କରିଣୀ ଠାରେ ମହାପ୍ରଭୁଙ୍କ କାଳୀୟ ଦଳନ ନୀତି ସମାପନ ହେବ । ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡ଼ା ବିଜେ କରିବା ପରେ ଜୟ ବିଜୟ ଦ୍ଵାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ଉତାରୁ ରତ୍ନ ସିଂହାସନ ଉପରେ ବିରାଜମାନ କରିଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟ ଦଳନ ବେଶରେ ସଜ୍ଜିତ କରାଯିବ ।
ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ଜଳରେ କାଳୀୟ ସର୍ପକୁ ବଧ କରିଥିବାରୁ ସେହି ସ୍ମୃତିକୁ ମନେ ପକାଇ ଶ୍ରୀମନ୍ଦିରରେ ଏହି ନୀତି ଅନୁଷ୍ଠିତ ହେଉଛି । ରତ୍ନ ସିଂହାସନ ଉପରେ ରୂପକାର ସେବାୟତମାନଙ୍କ ଦ୍ଵାରା ନିର୍ମିତ ସପ୍ତଫେଣୀ କଳା ସର୍ପ ଜଗନ୍ନାଥଙ୍କ କାଠ ନିର୍ମିତ ପାଦ ତଳେ ବିରାଜମାନ କରିବେ । ବେତ, କଳାକନା ଓ ସୂତାରେ ଦରଜିଙ୍କ ସହାୟତାରେ ଏହି ସପ୍ତଫେଣୀ କଳା ସର୍ପ ନିର୍ମାଣ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ଦୁଇ ପାର୍ଶ୍ଵରେ ଦୁଇଟି ନାଗୁଣୀ ପ୍ରାର୍ଥନାରତ ଅବସ୍ଥାରେ ରହିବେ । ପ୍ରଭୁ ବାମ ହସ୍ତରେ କାଳୀୟର ଲାଞ୍ଜ ଧରିଥିବା ବେଳେ ଦକ୍ଷିଣ ହସ୍ତରେ ପଦ୍ମଫୁଲ ଶୋଭା ପାଉଥିବ । ଶ୍ରୀ ବଳଭଦ୍ରଙ୍କୁ କାଠ ନିର୍ମିତ ପାଦହସ୍ତ ଲାଗି କରାଯିବ । ଶ୍ରୀ ବଳଭଦ୍ର ଦୁଇ ହସ୍ତରେ ହଳ, ମୂଷଳ ଧାରଣ କରିବେ । ସମ୍ମୁଖରେ କାଠ ନିର୍ମିତ ଗାଈବାଛୁରୀ ଦଣ୍ଡାୟମାନ ରହିବେ ।
ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ବିମାନରେ ଲବଣିଖିଆ ଛକ ଦେଇ ମାର୍କଣ୍ଡ ପୁଷ୍ପରିଣୀକୁ ବିଜେ କରିବେ । ସେଠାରେ ପୁଷ୍କରିଣୀ ମଝିରେ ଥିବା ଦୀପିଦାଣ୍ଡି ମଣ୍ଡପରେ ରୂପକାର ସେବକଙ୍କ ଦ୍ଵାରା ପୂର୍ବରୁ କାଠରେ ନିର୍ମିତ କାଳୀୟ ନାଗ ସ୍ଥାପନ ହୋଇଥିବ । ଜଣେ ସେବାୟତ କୃଷ୍ଣ ବେଶ ଧାରଣ କରିବା ସହ ଅନ୍ୟ ଜଣେ ସେବାୟତ ଗରୁଡ଼ ବେଶରେ ସେଠାକୁ ଯାଇ ସର୍ପକୁ ବଧ କରିବେ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିଷ ଜ୍ଵାଳାରୁ ଗରୁଡ଼ ଉଦ୍ଧାର କରିବା ପରେ ବିଷକ୍ରିୟା ଲାଘବ ପାଇଁ ଅମୃତ ଲଡ଼ୁ ଶ୍ରୀକୃଷ୍ଣଙ୍କୁ ଖୁଆଇବେ । ସଂନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ଓ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇପାରେ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଠାକୁରଙ୍କ ବଣଭୋଜି ବେଶ ଓ କୋଳିବିକା ନୀତି ଅନୁଷ୍ଠିତ ହୋଇଥିଲା ।