ପୁରୀ, ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ଵାରା ପ୍ରସ୍ତୁତ ହୋଇଥିବା ଛୋଟ ଛୋଟ ସଚେତନତା ବାର୍ତାମୂଳକ ଭିଡିଓ ମାନ ସ୍ମାର୍ଟ କ୍ଲାସ୍ ରୁମ୍ ରେ ପିଲାମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍ କାନୁନ୍ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟରେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ବୁଝାଇଥିଲେ । ପରେ ଛାତ୍ରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଷ୍ଟସ୍ ର ସଦସ୍ୟମାନେ ସହଯୋଗ କରିଥିଲେ ।