
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସାରା ବିଶ୍ୱରେ ଚର୍ଚ୍ଚା ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଯେମିତି ବଡ ଠାକୁର ସେହିଭଳି ତାଙ୍କର ବଡ ଦେଉଳ,ବଡ଼ ରୋଷଶାଳା, ବଡ଼ ମେଘନାଦ ପ୍ରାଚୀର ଏବଂ ବଡ ଦାଣ୍ଡ |କିନ୍ତୁ ବିଡମ୍ବନାର ବିଷୟ ବର୍ତ୍ତମାନ ବଡ଼ଦାଣ୍ଡ ଏବେ ସଂକୀର୍ଣ୍ଣ ଦାଣ୍ଡରେ ପରିଣତ ହୋଇଛି |ଏବେ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭାବେ ଉଠା ଦୋକାନୀଙ୍କ କବଜାରେ ରହିଛି ଏବଂ ପୁରୀ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅସହାୟ ପରି ମନେ ହେଉଛି |ଉଠା ଦୋକାନୀ ମାନେ ବଡଦାଣ୍ଡରେ ନିଜର ପସରା ମେଲାଉଥିବା ବେଳେ ପ୍ରଶାସନ ତରଫରୁ ବୃଦ୍ଧ ଏବଂ ଶାରୀରିକ ବିକଳାଙ୍ଗ ଙ୍କ ନିମନ୍ତେ ନିଶୁକ୍ଳ ସେବା ଯୋଗାଇ ଦେଉଥିବା ବେଟାରୀ ଚାଳିତ ଯାନ ଏବଂ ଜରୁରୀ କାଳୀନ ସେବା ପ୍ରଦାନ କରୁଥିବା ଆମ୍ବୁଲାନ୍ସ କୁ ମଧ୍ୟ ଯିବା ପାଇଁ ରାସ୍ତା ଜାମ ରହୁଛି |ଉଠା ଦୋକାନୀ ନିଜର ପସରା ମେଲାଉଥିବା ବେଳେ କିଣୁଥିବା ବ୍ୟକ୍ତି ତାର ମୋଟରସାଇକେଲ ଦୋକାନ ସମ୍ମୁଖରେ ରଖୁଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ଚଲାପଥ ସଂକୀର୍ଣ୍ଣ ହେବା ଦ୍ୱାରା ରାସ୍ତା ମଝିରେ ଯାତାୟାତ କରୁଛନ୍ତି |ଏଥିସହିତ ବଡଦାଣ୍ଡରେ ବୁଲା ବିକାଳୀ ଏବଂ ଠେଲା ଗାଡିରେ ବେପାର କରୁଥିବା ଆଇସକ୍ରିମ, ଗୁପଚୁପ, ସିନ୍ଦୁର,ମାଳି,ଖଜା ଦୋକାନୀ ବଳକା ରହୁଥିବା ରାସ୍ତା ଉପରେ ବିକ୍ରି କରୁଛନ୍ତି |ସେଥିପାଇଁ ଅଧିକାଂଶ ସମୟରେ ଜରୁରୀ କାଳୀନ ସେବା ପ୍ରଦାନ କରୁଥିବା ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡି ଏବଂ ଶ୍ରୀମନ୍ଦିର କୁ ଆସୁଥିବା ଭକ୍ତ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ତେଣୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ଏହି ସମସ୍ୟାର ତୁରନ୍ତ ସମାଧାନ କଲେ ପୁରୀ ବଡଦାଣ୍ଡର ମହତ୍ୱ ଅକ୍ଷୁର୍ଣ୍ଣ ରହିବ ଏବଂ ସଂକୀର୍ଣ୍ଣ ଦାଣ୍ଡ ରୁ ବଡଦାଣ୍ଡରେ ପରିଣତ ହେବ |