ନୂଆଦିଲ୍ଲୀ,ଆରମ୍ଭ ହୋଇଛି ଜି-20 ଶିଖର ସମ୍ମିଳନୀ । ଶନିବାର ଦିନ ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଜି-20 ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ୱାନ ଆର୍ଥ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମାନବ କେନ୍ଦ୍ରିକ ଦୃଷ୍ଟିକୋଣ ସହିତ ଆମକୁ ଆଗକୁ ବଢିବାକୁ ହେବ । ବିଶ୍ୱର ବିଶ୍ୱାସର କମିକୁ କମ୍ କରିବା ଓ ବିଶ୍ୱାସର ପରିବେଶ ବଢାଇବାକୁ ଆହ୍ୱାନ ଦେଇଛନ୍ତି ପିଏମ ମୋଦି ।
ଭାରତ ମଣ୍ଡପରେ ଜି-20 ଶିଖର ସମ୍ମିଳନୀର ଉଦଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଏହି ଦ୍ୱିଦିବସୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଜି-20 ବୈଠକକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଁ ଭାରତ ବୋଲି ଉଚ୍ଚାରଣ କରିଥିଲେ । ମୋଦି କହିଥିଲେ ଯେ, ଜି-20ର ଅଧ୍ୟକ୍ଷ ଭାବରେ ଭାରତ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ।
ଆଫ୍ରିକୀୟ ଦେଶରେ ଭୂକମ୍ପକୁ ନେଇ ଏହି ସମ୍ମିଳନୀରେ ଦୁଃଖ ପ୍ରକାଶ କରିଥିଲେ ପିଏମ ମୋଦି । ଏହି ଅବସରରେ ମୋଦି କହିଥିଲେ ଯେ, ଔପଚାରିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମରକ୍କୋ ଭୂକମ୍ପରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମବେଦନା ଜଣାଉଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ପୂରା ବିଶ୍ୱ ମରକ୍କୋ ସହ ରହିଛି ।