ନୂଆଦିଲ୍ଲୀ, ଭୁବନେଶ୍ୱର, ସାରା ବିଶ୍ୱର ନେତା ମାନଙ୍କ ବୈଠକ ଜି 20 ଶିଖର ସମ୍ମିଳନୀରେ ଭାରତର 5 ହଜାର ବର୍ଷର ନିରବଛିନ୍ନ ସଭ୍ୟତାର ପ୍ରତୀକ ଗୁଡିକୁ ପ୍ରଦର୍ଶନ କରାଯାଇଥିବା ବେଳେ ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର କୋଣାର୍କ ଚକ୍ର।
ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଚକ ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଏହାର ବୈଶିଷ୍ଠତା ସମ୍ପର୍କରେ ଅବଗତ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ବେଶ୍ କିଛି ସମୟ ଯାଏଁ ଆମେରିକା ରାଷ୍ଟ୍ରପତିଙ୍କୁ ଗୋଟି ଗୋଟି କରି ସବୁ କିଛି ବୁଝାଇଥିଲେ । କୋଣାର୍କ ଚକ୍ରର ସ୍ଥିତି ଓ ମହତ୍ତ୍ୱ ବିଷୟରେ କହିଥିଲେ ।
ଏ ସଂକ୍ରାନ୍ତରେ ‘ଏକ୍ସ୍’ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି: ‘ଜି୨୦’ ସ୍ବାଗତ-କରମର୍ଦ୍ଦନସ୍ଥଳରେ ଓଡ଼ିଶାର ଚିର ବିସ୍ମୟ କୋଣାର୍କ ଚକ୍ର। ସମଗ୍ର ଭାରତବାସୀ ଓ ବିଶେଷକରି ମୋ ଓଡ଼ିଶାର ଭାଇଭଉଣୀଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ।
ସେହିପରି ‘ଜି୨୦’ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯେଉଁ ଆସନରେ ବସିଥିଲେ ତା’ ସମ୍ମୁଖରେ ଥିବାର ଦେଶର ନାମଫଳକରେ ‘ଇଣ୍ଡିଆ’ ପରିବର୍ତ୍ତେ ଇଂରାଜୀ ଅକ୍ଷରରେ ‘ଭାରତ’ ଲେଖାଯାଇଛି।