-
ପୁରୀ ସହରକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ପ୍ରସ୍ତାବ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବ୍ରିଟିଶ ଶାସନଠାରୁ ରାଜ୍ୟରେ ବଳି ଗଲାଣି ଅବାଧ ନିଶା କାରବାର। ଏବେ ନିର୍ବାଚନ ଜିତିବାର ପ୍ରମୁଖ ମାଧ୍ୟମ ହୋଇଛି ମଦ ଓ ଟଙ୍କା ବାଣ୍ଟିବା । ଲୋକଙ୍କ ଜୀବନର ସୁରକ୍ଷା ପରିବର୍ତ୍ତେ ମଦ ବିକ୍ରି କରି ରାଜସ୍ବ ବୃଦ୍ଧିକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଶୁକ୍ରବାର ପୁରୀରେ ଅନୁଷ୍ଠିତ ବୈଠକରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)ର ସଭାପତି ପଦ୍ମ ଚରଣ ନାୟକ ଯୋଗଦେଇ ଏଭଳି ମତ ଦେଇଛନ୍ତି। ସେ କହିଛନ୍ତି ଯେ, ନବକୃଷ୍ଣ ଚୌଧୁରୀଙ୍କ ଶାସନ ସମୟରେ ନିଶା ନିବାରଣ ପାଇଁ ପ୍ରଣୀତ ଆଇନ କାର୍ଯ୍ୟକାରୀ ନକରି ଚପାଇ ରଖାଯାଇଛି। ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ବ୍ୟାପକ ଜନ ଆନ୍ଦୋଳନ ଆବଶ୍ୟକ ରହିଛି । ମଦର ପ୍ରସାରକୁ ରାଜନେତା ଉତ୍ସାହିତ କରୁଛନ୍ତି । ନିଶାର ପ୍ରସାର ରୋକିବାକୁ ସମ୍ବିଧାନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି କିନ୍ତୁ ଓଡ଼ିଶା ସରକାର ପ୍ରତିବର୍ଷ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ବଢ଼ାଇ ଚାଲିଛନ୍ତି । ଯୁବ ଗୋଷ୍ଠୀ ଓ ମହିଳାମାନେ ଚାହିଁଲେ ନିଶା ନିବାରଣ ଅଭିଯାନ ସଫଳ ହେବ ବୋଲି ସେ ମତ ଦେଇଛନ୍ତି । ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ, ସମାଜସେବୀ ଚକ୍ରଧର ମହାପାତ୍ର,ବିଦୁଲତା ଆଚାର୍ଯ୍ୟ, ଛାୟାକାନ୍ତ ନାୟକ, ଭଜରାମ ସ୍ବାଇଁ, ପ୍ରଫୁଲ୍ଲ କୁମାର ଜେନା, ପବିତ୍ର ମୋହନ ଦଳାଇ, ଅପର୍ଣ୍ଣା ନାୟକ, କାହ୍ନୁ ଚରଣ ବେଉରା,ସନାତନ ରାଉତ, ଶୁଭେନ୍ଦୁ ରାଉତରାୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପୁରୀ ସହରକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିଶା ବିରୋଧୀ ଅଭିଯାନରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।
ଏଥୂପାଇଁ ସତ୍ୟାଗ୍ରହ କରାଯିବା ସହ ଏକ ବୈଠକ ଡକାଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଜିଲ୍ଲା ସ୍କୁଲ ନିକଟ ଭିଆଇପି ରୋଡରେ ବିଦେଶୀ ମଦ ଦୋକାନ ଖୋଲା ଯାଇଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ ସ୍ଥାନାନ୍ତର ପାଇଁ ଅହିଂସା ସତ୍ୟାଗ୍ରହ କରାଯିବାକୁ ସ୍ଥିର ହୋଇଛି। ମୋନା କର୍ମକର୍ତ୍ତା ମଳୟ ତ୍ରିପାଠୀ ଏବଂ ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।