ଭୁବନେଶ୍ୱର,୨୫ ବର୍ଷର ବିଜେଡି ଶାସନରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତିତ । ଆଗାମୀ କାଲିର ସମୃଦ୍ଧ ଓଡ଼ିଶା ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ହୋଇଛନ୍ତି ନବୀନ ସରକାର । ଦୀର୍ଘଦିନ ହେବ ଶିକ୍ଷକମାନେ ବିଭିନ୍ନ ସମସ୍ୟା ଓ ଦାବୀ ପୂରଣକୁ ନେଇ ଆନ୍ଦୋଳନ କରି ଆସୁଛନ୍ତି । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ୫ପ୍ରକାରରେ ବିଭକ୍ତ କରି ବିଭ୍ରାଟ ସୃଷ୍ଟି କରିଛନ୍ତି । ପ୍ରାଥମିକ ଶିକ୍ଷା ପ୍ରଦାନ ବାରମ୍ବାର ବାଧାପ୍ରାପ୍ତ ହେଉଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମସ୍ୟା ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ ସରକାର ଶିକ୍ଷାକୁ ଆଉ ନିମ୍ନଗାମୀ ନକରି ଆନ୍ଦୋଳନ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଭୁବନେଶ୍ୱରର ଲୋୟର ପିଏମଜିକୁ ଯାଇ ଆନ୍ଦୋଳନ କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ ସରକାରଙ୍କ ଶିକ୍ଷାମାରଣ ନୀତି ବିରୋଧରେ ଭାରତୀୟ ଜନତା ପାର୍ଟୀ ବିଧାନସଭା ଭିତରେ ଏବଂ ବାହାରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାକୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।