ପୁରୀ ,ସନ୍ତୁଳିତ ଖାଦ୍ୟ,ସଠିକ ଜୀବନ ଚର୍ଯ୍ୟା ଶରୀରକୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ବକ୍ତାମାନେ । ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ପୌରାଞ୍ଚଳ ମିଶନ ଶକ୍ତି ମହାସଂଘ ହଲ ଠାରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହୋଇଥିଲା ।ଏଥିରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବଞ୍ଚିବା ପାଇଁ ଖାଦ୍ୟ ଓ ପାନୀୟ ନିହାତି ଆବଶ୍ୟକ । କିନ୍ତୁ ସନ୍ତୁଳିତ ଓ ସମନ୍ୱିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଓ ଉପଯୋଗୀ ହୋଇ ଥାଏ ବୋଲି କହିଥିଲେ । ଏଡିଏମ ପିଏଚଓ ଡା ମନୋଜ କୁମାର ମହାନ୍ତି ଓ ରାଷ୍ଟ୍ରୀୟ ବାଲ ବିକାଶ ର ପରାମର୍ଶ ଦାତା ପ୍ରଶାନ୍ତ କୁମାର ପରିଜା ସଠିକ ପୋଷଣ ଅଭାବରୁ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଦୁର୍ବଳ ଓ ଅବସ ହୋଇଥାନ୍ତି ।ତେଣୁ ସଠିକ ପୋଷଣର ଆବଶ୍ୟକତା ଓ ସଚେତନତା ସମସ୍ତ ଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦ୍ୟାନ ଅଧିକାରୀ ମନୋରଞ୍ଜନ ସାହୁ ବାଡ଼ି ବଗିଚାର ପନିପରିବା, ଶାଗ ଇତ୍ୟାଦିରେ ଥିବା ବିଭିନ୍ନ ପୁଷ୍ଟି ସମ୍ପର୍କରେ ଆଲୋଚନା କରି ଏହାକୁ ଚାଷ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯତ୍ନଶୀଳ ହେବା ସହ ଚଳିତ ମାସ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି ବୋଲି କହିଥିଲେ ।
ଏହି ଅବସରରେ ପ୍ରସ୍ତୁତ ଖାଦ୍ୟ ମଧ୍ୟରୁ ଶ୍ରେଷ୍ଠ ପୋଷଣ ଖାଦ୍ୟକୁ ପୁରସ୍କୃତ କରାଯାଇଥିଲା ।ପୋଷଣ ସଚେତନତା ସମ୍ପର୍କରେ ସଦର ବ୍ଲକ ତଳଜଙ୍ଗ ର ଶିଶୁ କଳାକାର ପ୍ରତିଭା ନାୟକ ଓ ସାଇ ସମ୍ପର୍ଣ୍ଣା ନାୟକ ନୃତ୍ୟ ପରିବେଷଣ କରିଥିଲେ । ପୋଷଣ ର ଜିଲ୍ଲା ସଂଯୋଜିକା ସଶ୍ମିତା କର୍ମକାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସିଡିପିଓ, ଅଙ୍ଗନବାଡି କର୍ମୀ,ମମତା ଓ ମିଶନ ଶକ୍ତିର ଡିପିସି,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ସହଯୋଗ କରିଥିଲେ ।