
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀର ଶରଧାବାଲି ସ୍ଥିତ ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁର ଜିଲ୍ଲା ସ୍ତରୀୟ ଚତୁର୍ଥ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରାଜଶଙ୍କର ରଥ ବାୟୁ ପ୍ରଦୂଷଣର କାରଣ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏଥିସହିତ ସେ ସମସ୍ତଙ୍କୁ ବୃକ୍ଷରୋପଣ କରିବା ଏବଂ ସାଇକେଲ୍ ଅବା ଇଲେକ୍ଟ୍ରିକ୍ ସାଇକେଲ୍ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ାକ୍ତର ମନୋଜ କୁମାର ମହାନ୍ତି ମଧ୍ୟ ବିକଳ୍ପ ଶକ୍ତି ମାଧ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇବା ସହ କାଠ ଚୁଲ୍ଲା ବ୍ୟବହାର ନ କରିବା ପାଇଁ କହିଥିଲେ। ଓଜୋନ ସ୍ତର ଦିନକୁ ଦିନ କିପରି ନଷ୍ଟ ହେବାରେ ଲାଗିଛି ଏବଂ କିପରି ଏଥିରୁ ଦୂରେଇ ରହିବେ ଇତ୍ୟାଦି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଥିଲା। ପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।