ରାଉରକେଲା, ରାଉରକେଲା ସହର ପୌରପାଳିକାରୁ ମହାନଗର ନିଗମ ହେଲା, ହେଲେ ସହରରେ ଜବରଦଖଲ ପରିମାଣ ଏଭଳି ବୃଦ୍ଧିପାଉଛି ଯେ, ସଂରକ୍ଷିତ ଜଙ୍ଗଲ ଓ ପାହାଡ ମଧ୍ୟ ବାଦ ପଡୁନି, ସହରର ମୂଲ୍ୟବାନ ଜମି ସମେତ ଏବେ ଏସବୁ ମଧ୍ୟ ଜବରଦଖଲକାରୀଙ୍କ କବଜାକୁ ଯିବାରେ ଲାଗିଛି, ଜିଲ୍ଲାପ୍ରଶାସନ କେବଳ ଦେଖଣାହାରି ହୋଇ ରହିଛି । ସହରକୁ ପ୍ରବେଶ କରିବା ବେଳେ ବେଦବ୍ୟାସ ଠାରେ ଏକ ପାହାଡ ତଥା ସଂରକ୍ଷିତ ଜଙ୍ଗଲକୁ କାଟି ଜବରଦଖଲ କରି ପ୍ରଥମେ ଏକ ଗାଡି କମ୍ପାନୀର ସର୍ଭିସିଂ ସେଂଟର କରାଜିବା ପରେ, ତାପାଖରେ ଧିରେ ଧିରେ ପାହାଡ କଟାଯାଇ ଦୋକାନ ବଜାର ତିଆରି ସରିଲାଣି। ସେହିଭଳି ପାନପୋଷ ଛକ ଠାରେ ଜବରଦଖଲକାରୀଙ୍କୁ ଦ୍ଵିତୀୟ ପୋଲ ତିଆରି ପୂର୍ବରୁ ଚିହ୍ନଟ କରାଯାଇ ସେମାନଙ୍କ କ୍ଷତିପୁରଣ ଦିଆଯାଇ ସେହି ରାସ୍ତାରେ ପୋଲ ଓ ଆପ୍ରୋଚ ରୋଡ ନେବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଜଣେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁ ରାସ୍ତା ଓ ପୋଲ ଘୁଂଚିଗଲା, ଜବରଦଖକାରୀ ତାଙ୍କ ଦଖଲରେ ରହିଲେ ଓ କ୍ଷତିପୁରଣ ବାବଦ ଟଙ୍କା ମଧ୍ୟ ପାଇଲେ । ସେହିଭଳି ପାନପୋଷରେ ଏକ ମସଲା କଂପାନୀ କୋଟି କୋଟି ଟଙ୍କାର ସରକାରୀ ଜମି ଦଖଲକୁ ନେବା ଘଟଣାରେ ମାନ୍ୟବର ଅଦାଲତ ସେସବୁ ଯାଗାକୁ ଉଚ୍ଛେଦ କରି ହାତକୁ ନେବାଲାଗି କହିବା ପରେ ମଧ୍ୟ ସେ ସମୟର ଉପଜିଲ୍ଲାପାଳ ମାନଙ୍କ ନିରବତା ସେ ସବୁ ଜମିକୁ ଆଜିଯାଏ ସେହି ମସଲା କଂପାନୀ ଅଧିନରେ ରଖିବାର ସୁଯୋଗ ଦେଇଛି । ଠିକ ସେହିଭଳି ଇଣ୍ଡୋଇଁରାଜୀ ବିଦ୍ୟାଳୟ ପାଖରେ ୨ ଏକର ସରକାରୀ ଜମିକୁ ଜଣେ ନେତା ମାଡି ବସିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଛେଣ୍ଡ ଠାରୁ ବାସନ୍ତି କଲୋନୀ, ବନ୍ଧମୁଣ୍ଡା ଓ ସାରନଗରୀ ପ୍ରଭୃତି ଅଂଚଳରେ ହଜାର ହଜାର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଛେଣ୍ଡ କଳିଙ୍ଗବିହାର ଠାରେ ଏକ ବିଦ୍ୟାଳୟ ନାମରେ ଜବରଦଖଲ ହୋଇଥିବା ସରକାରୀ ଜମିରେ ରାଜସ୍ଵ ବିଭାଗର ଖୋଦ ଆରଆଇ ଅଫିସ କରାଜିବା ବେଳେ ଜବରଦଖଲକାରୀଙ୍କ ନାଲି ଆଖି ଠିକାଦାରଙ୍କୁ ଆଶ୍ଚର୍ଯ୍ୟ କରିଛି । ସହରରେ ବ୍ୟବସାୟ, ଶିକ୍ଷାନୁଷ୍ଠାନ, ବାସଗୃହ ଲାଗି ଅନେକ ପ୍ରଭାବଶାଳୀ ଲୋକ ଓ କିଛି ବାହାର ରାଜ୍ୟର ଲୋକ ମୂଲ୍ୟବାନ ସରକାରୀ ଯାଗାକୁ ଦଖଲରେ ରଖିଛନ୍ତି । ଏହା ଭିତରେ ଖୋଦ ଆରଡିଏ ର ପ୍ରାୟ ୧୫୦ ଏକର ଜମି ଜବର ଦଖଲ ହୋଇ ରହିଛି । ଫଳରେ ଆରଡିଏ ବାସଗୃହ ପ୍ରକଳ୍ପ କରିନପାରି ହାତବାନ୍ଧି ବସିଛି । ହାଉସିଂବୋର୍ଡ ମଧ୍ୟ ଯାଗା ପାଉନଥିବାରୁ କୌଣସି ପ୍ରକଳ୍ପ କରିପାରୁନାହିଁ । ରାଉରକେଲା ଇସ୍ପାତ କାରଖାନା ଜମି ଗୁଡିକ ଜବରଦଖଲ ହୋଇ ପଡିଥିବାରୁ ତାହାର ସଂପ୍ରସାରଣ ପ୍ରକଳ୍ପ ଠପ ହୋଇପଡିଛି । ଏସବୁ ତ ସାଧାରଣ ରାଜସ୍ଵ ବିଭାଗ ଜମି, କିନ୍ତୁ ଆଶ୍ଚର୍ଯର ବିଷୟ ଯେ, ଦୁର୍ଗାପୁର ପାହାଡ ସଂରକ୍ଷିତ ଜଂଗଲ ଭିତରେ ବି ବର୍ତମାନ ଘର ତିଆରି ଚାଲିଛି । ଅନେକ ଲୋକ ଏଠାରେ ରହିଥିବା ବେଳେ ନୂଆଘର ମାନ ମଧ୍ୟ ତିଆରି ଚାଲିଛି । ଜଣେ ରାଜନେତାଙ୍କ ମାଙ୍କ ନାମରେ ଏହି ପାହାଡରେ ଏକ ଜବରଦଖଲ କଲୋନୀ ତିଆରି ହୋଇ ସାରିବା ପରେ ସେଠାରେ କିଣାବିକା ମଧ୍ୟ ଚାଲିଛି। ସ୍ଥାନୀୟ ଡିଏଫଓ ଅଫିସକୁ ଅଧିକାରୀ ପରେ ଅଧିକାରୀ ଆସୁଛନ୍ତି କିନ୍ତୁ, ସେମାନେ ଏନେଇ ସଂପୁର୍ଣ ନୀରବ । ରାଉରକେଲା ସହରରେ ଜବର ଦଖଲ ଏକ ପ୍ରକାର କ୍ୟାନ୍ସର ଆକାର ଧାରଣ କଲାଣି, ଏସବୁ କିଛି ଅଦୃଶ୍ୟ ଶକ୍ତି ସହଯୋଗ କରି ମାଲେ ମାଲ ହେଉଥିବା ବେଳେ ରାଜସ୍ଵ ବିଭାଗ ପୁରା ନୀରବ। କାରଣ ଜବର ଦଖଲ ତାଲିକା ବଢୁଛି, କିନ୍ତୁ ଉଚ୍ଛେଦ ସଂଖ୍ୟା ଶୁନ । ତେଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ମୂଲ୍ୟବାନ ଜମି ଗୁଡିକୁ ରକ୍ଷା କରି ସାଧାରଣ ଜନତାଙ୍କ ସେବାରେ ଲଗାଇବାକୁ ଦାବି ହେଉଛି ।
Related Stories
November 22, 2024