ପୁରୀ,ବେଦାନ୍ତ ସିଦ୍ଧାନ୍ତ” ସ୍ଲୋଗାନ ଦେଇ ୨୦୦୬ ମସିହାରେ ରାଜ୍ୟର ବିଜେଡ଼ି ବିଜେପି ମେଣ୍ଟ ସରକାର ପୁରୀ- କୋଣାର୍କ ବେଳାଭୂମି ମାର୍ଗ ସ୍ଥିତ ବାଇଶମୌଜା ଅଞ୍ଚଳରୁ ଶାଗମାଛ ଦରରେ ହଜାର ହଜାର ଏକର ଚାଷଜମି ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଚାଷଜମି ବେଆଇନ ଭାବେ ଅଧିଗ୍ରହଣ କରିଥିଲା । ଶିକ୍ଷାଦିକ୍ଷା ହୀନ ଗରିବ ଚାଷୀମାନେ କିଛି ବୁଝିବା ପୂର୍ବରୁ ତତ୍କାଳୀନ ସରକାର ଅର୍ଥବଳ, ବାହୁବଳ ଓ ପ୍ରଶାସନିକ କଳର ଅପପ୍ରୟୋଗ କରି ବିସ୍ତୀର୍ଣ୍ଣ ଚାଷଜମି ସହ ଦୁଇ ଦୁଇଟି ନଦୀ ଅଧିଗ୍ରହଣ କରି ନେଇଥିଲେ । ବିଳମ୍ବରେ ହେଲେବି ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ସଙ୍ଘବଦ୍ଧ ଭାବେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଗଠନ କରି ଏହି ବେଆଇନ ଜମି ଅଧିଗ୍ରହଣ ନେଇ ୨୦୧୦ ମସିହାରେ ଲୋକପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ସହ ବିପୁଳ ପରିମାଣ ଜମି ଅଧିଗ୍ରହଣ ଓ କମ୍ପାନୀ ସହ ହୋଇଥିବା ବୁଝାମଣା ପତ୍ରରେ ଅନିୟମିତତା ଓ ଏକତରଫା ସର୍ତ୍ତର ପୁନଃ ଅନୁଧ୍ୟାନ ପାଇଁ ଆଦେଶ ଦେଇଥିଲେ । ରାଜ୍ୟ ସରକାର ଓ ବେଦାନ୍ତ କର୍ତ୍ତୃପକ୍ଷ ଲୋକପାଳଙ୍କ ଏହି କାଳକ୍ଷେପଣ ଆଦେଶକୁ ଏଡାଇ ତ୍ବରିତ୍ ନିଜ ସପକ୍ଷରେ ରାୟ ଆଶା କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ବିଶ୍ଵ ବିଦ୍ୟାଳୟର ଆଳ ଦେଖାଇ ବେଦାନ୍ତ କମ୍ପାନୀ ୧୦ ହଜାରରୁ ଉର୍ଦ୍ଧ୍ଵ ଏକର ଜମି ହାତେଇବା ଓ ତତ୍କାଳୀନ ମେଣ୍ଟ ସରକାର ଅତି ତରବରିଆ ଭାବେ ନେଉଥିବା ନିଷ୍ପତ୍ତିକୁ ଅନୁଧ୍ୟାନ କରି ଶେଷରେ ଏହା ବେଆଇନ ଜମି ଅଧିଗ୍ରହଣ ବୋଲି ମାନ୍ୟବର ହାଇକୋର୍ଟ ରାୟ ଦେଇଥିଲେ । ମାତ୍ର କେଉଁ କାରଣ ପାଇଁ ଲୋକପାଳ ଓ ହାଇକୋର୍ଟରେ ଏହି ଜମି ଅଧିଗ୍ରହଣ ବେଆଇନ ଘୋଷିତ ହେଲା ରାଜ୍ୟ ସରକାର ତାହା ଅନୁଧ୍ୟାନ ନକରି କମ୍ପାନୀ ପ୍ରିତୀରେ ଅନ୍ଧ ହୋଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଥିଲେ । ମାନ୍ୟବର ସୁପ୍ରିମକୋର୍ଟରେ ଏହି ମାମଲାର ତର୍ଜମା ହେବା ସମୟରେ ବେଦାନ୍ତ କମ୍ପାନୀର ଅସଲ ପରିଚୟ , ସମ୍ବିଧାନର କେଉଁ ଅଧିନିୟମରେ ଏହା କମ୍ପାନୀ ଭାବେ ପଞ୍ଜିକରଣ ହୋଇଛି, ପରିବାରର ୪ଜଣ ସଦସ୍ୟଙ୍କୁ ନେଇ ଅନୀଲ ଅଗ୍ରୱାଲ ନାମକ ବ୍ୟକ୍ତି ”ଅନୀଲ ଅଗ୍ରୱାଲ ଫାଉଣ୍ଡେସନ” ନାମକ ସଂସ୍ଥା ତତ୍କାଳୀନ ମେଣ୍ଟ ସରକାରକୁ କିଭଳି ବଶୀକରଣ କରି ଏତେ ଚାଷଜମି ଅଧିଗ୍ରହଣ କରିପାରିଲା ସେନେଇ ସମସ୍ତ ତଥ୍ୟ ଅନୁଧ୍ୟାନ ଓ ମାମଲାର ଶୁଣାଣି କରି ଓଡ଼ିଶାର ନବୀନ ସରକାରକୁ ଭର୍ତ୍ସନା କରିବା ଜାଲିଆତିରେ ଚାଷଜମି ଅଧିଗ୍ରହଣ କରିଥିବାରୁ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ମାତ୍ରାଧିକ ପକ୍ଷପାତିତା, ଜମି ଅଧିଗ୍ରହଣ ପାଇଁ କମ୍ପାନୀର ଆବେଦନକୁ ଭଲ ଭାବେ ଅନୁଧ୍ୟାନ ନକରିବା, ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ଗୁରୁତ୍ବ ଦେଇନଥିବା ଭଳି ବହୁ ତ୍ରୃଟି ଓ ମିଥ୍ଯା କାଗଜାତ୍ ଦେଇ ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ସମସ୍ତ କଳା କାରନାମାକୁ ସମ୍ପୂର୍ଣ୍ଣ ଉଲଗ୍ନ କରିଥିବା ୧୦୫ ପୃଷ୍ଠାରେ ଦେଇଥିବା ରାୟରେ ଉଲ୍ଲେଖ ରହିଛି । ଏହି ବେଆଇନ ଜମି ଅଧିଗ୍ରହଣ ପରେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିବା ବାଇଶ ମୌଜା ଲୋକଙ୍କୁ ସ୍ବାନ୍ତନା ଦେବାସହ ନ୍ୟାୟ ପାଇଁ ଗଠିତ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ନେତୃତ୍ବ ନେଇଥିଲେ ବେଲଦଳର ବର୍ଷିଆନ ଚାଷୀ ନେତା ବେଣୁଧର ପ୍ରଧାନ। ରାଜ୍ୟ ସରକାରଙ୍କ ଏଭଳି ବେଆଇନ ଚାଷଜମି ଅଧିଗ୍ରହଣକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ହେବା ପରେ ଏଥିରେ ସମର୍ଥନର ହାତ ବଢ଼ାଇଥିଲେ ପୁରୀର ଟାଣୁଆ ନେତା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ । ଏହା ପରେ ପରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ବେଶ୍ ଶକ୍ତିଶାଳୀ ହୋଇ ଉଠିଥିଲା। ସମିତିର ସଭାପତି ଦାମୋଦର ପ୍ରଧାନଙ୍କ ନେତୃତ୍ଵରେ ସଂଯୋଜକ ବରିଷ୍ଠ ନେତା ବିଷ୍ଣୁ ପ୍ରସାଦ ମିଶ୍ର, ଉପସଭାପତି ମଧୁସୂଦନ ରାଉତରାୟ, ସମ୍ପାଦକ ପ୍ରଭାକର ସ୍ୱାଇଁଙ୍କ ସହ ଆବାହକ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନୀରବଚ୍ଛିନ୍ନ ଅକ୍ଳାନ୍ତ ପରିଶ୍ରମ ଓ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଶେଷରେ ମାନ୍ୟବର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ଅଧିଗ୍ରହଣ ଚାଷଜମି ବେଆଇନ ଘୋଷଣା ସମଗ୍ର ବାଇଶମୌଜା ଅଞ୍ଚଳରେ ଖୁସିର ଲହଡ଼ି ଖେଳିଯାଇଛି । ମାନ୍ୟବର ସୁପ୍ରିମକୋର୍ଟରେ ଏହି ବେଆଇନ ଜମି ଅଧିଗ୍ରହଣ ମାମଲାକୁ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ବିନା ପାରିଶ୍ରମିକରେ ପରିଚାଳନା କରିଥିବାରୁ ସମିତି ଓ ବିସ୍ଥାପିତ ଆଶଙ୍କାରେ ଥିବା ଲୋକେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସେହିପରି ଏହି ବେଆଇନ ଜମି ଅଧିଗ୍ରହଣକୁ ଦୃଢ଼ ବିରୋଧକରି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିକୁ ପୂର୍ଣ୍ଣ ସମର୍ଥନ କରିଥିବା ନର୍ମଦା ବଞ୍ଚାଅ ଅଭିଯାନର ଜନନେତ୍ରୀ ମେଧା ପାଟେକରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ଏହି ବେଆଇନ ଜମି ଅଧିଗ୍ରହଣକୁ ନେଇ ଦେଇଥିବା ଐତିହାସିକ ରାୟକୁ ନେଇ ଆଗାମୀ ୯ ତାରିଖରେ ବେଲଦଳ ଠାରେ ବିଶାଳ କୃଷକ ବିଜୟ ସମାବେଶ ହେବ। ଏହି ସମାବେଶରେ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଓ ଜନନେତ୍ରୀ ମେଧା ପାଟେକରଙ୍କୁ ସମିତି ପକ୍ଷରୁ କୃତଜ୍ଞତାର ସହ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ । ଶ୍ରୀ ଭୁଷଣ ନିଜ ଅଭିଭାଷଣରେ ଏହି ବେଆଇନ ଜମି ଅଧିଗ୍ରହଣର ବିଭିନ୍ନ ଅନାଲୋଚିତ ଦିଗରୁ ପରଦା ଉଠାଇବା ସହ ଚାଷଜମି ସୁରକ୍ଷା ନେଇ ଆଇନଗତ ସୂଚନା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆଜି ପୁରୀ ରାମ ମନ୍ଦିର ନିକଟ ସମିତିର ଆବାହକ ତଥା ମୁଖ୍ୟ ପୁରୋଧା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ରଥ ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତି ଓ ବେଆଇନ ଚାଷଜମି ଅଧିଗ୍ରହଣକୁ ତୀବ୍ର ସମାଲୋଚନା କରିଛନ୍ତି। ରାଜନୈତିକ ନେତା ମାନେ ପଦ ପଦବୀର ମୋହ ଓ ନିଜ ସ୍ୱାର୍ଥ ଦେଖିବା ବଦଳରେ ଲୋକଙ୍କ ସମସ୍ୟା ସମାଧାନ କରି ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିବା ଉଚିିତ୍ । ମାତ୍ର ବାଇଶମୌଜା ଅଞ୍ଚଳର ଚାଷଜମି ହଡ଼ପ କରିବା କ୍ଷେତ୍ରରେ ବେଦାନ୍ତ ଭଳି ଜାଲିଆତି କମ୍ପାନୀକୁ ଅହେତୁକ ଅନୁକମ୍ପାରେ ଏହି ବେଆଇନ ଜମି ଅଧିଗ୍ରହଣକୁ ଦୃଢ଼ ନିନ୍ଦା କରିଛନ୍ତି । ଏହି ବେଆଇନ ଚାଷଜମି ଅଧିଗ୍ରହଣ କେଳେଙ୍କାରୀରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ତଥା ନେତା ଠୁଁ ନେଇ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁସ୍ଥ ନ୍ୟାୟପାଳିକା ବ୍ୟବସ୍ଥା ଅନୁଯାୟୀ ଦଣ୍ଡବିଧାନ କରାଯିବା ଆବଶ୍ୟକ ବୋଲି ମଧ୍ୟ ଦାବି କରିଛନ୍ତି । ଏଥିସହ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଭୋଗି ଆସୁଥିବା ଜମିହରା ପ୍ରଜା ମାନଙ୍କୁ ଉଚିତ୍ କ୍ଷତିପୂରଣ ସହ ନ୍ଯାୟ ଦେବାପାଇଁ ଗଣମାଧ୍ୟମକୁ କହିଛନ୍ତି ।
Related Stories
November 21, 2024
November 21, 2024