ରାଉରକେଲା, ରାଜ୍ୟରେ ନିକଟରେ ସିବିଆଇ ଏସପି ଅଫିସ ମେସେଜ କରି ଦୁର୍ନୀତି ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଆହ୍ଵାନ ଦେଇଥିବା ବେଳେ ରାଜ୍ୟରେ ରାଉରକେଲା ଭିଜିଲାନ୍ସ ଡିଭିଜନ ଶୋଇ ରହିଛି। ଫଳରେ ରାଉରକେଲା ସମେତ ସମଗ୍ର ଜିଲ୍ଲାରେ ଲାଂଚ ନଦେଲେ କାମ ନାହିଁ ଭଳି ସ୍ଥିିତିରେ ପହଁଚିଲାଣି । ନିକଟରେ ରାଜ୍ୟ ସିବିଆଇ ଅଫିସ ଭୁବନେଶ୍ଵର ପକ୍ଷରୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଦୁଇଟି ନମ୍ବର୯୪୩୮୨୩୩୨୭୭ ଓ ୦୬୭୪୨୫୬୧୫୬୭କୁ ଡାଏଲ କରି ରେଳବାଇ, ବ୍ୟାଙ୍କ ସମେତ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକରେ ଲାଂଚ କାରବାର ହେଉଥିଲେ ସେ ନେଇ ଏହି ନମ୍ବର ଗୁଡିକରେ ଏତଲା ଦେବାକୁ ଆହ୍ଵାନ କରାଯାଇଛି । ଏହି ନମ୍ବରକୁ ଯୋଗାଯୋଗ ପାଇଁ ଚେଷ୍ଟା କରାଜିବା ପରେ ଏହା ସିବିଆଇର ନମ୍ବର ବୋଲି ଜଣାପଡିଥିଲା । ତେବେ ଏଭଳି କାର୍ଯ୍ୟ ନିଶ୍ଚୟ ସ୍ଵାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ସେପଟେ ରାଜ୍ୟ ଭିଜିଲାନ୍ସକୁ ଯଦି ଦେଖାଯାଏ ତେବେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅନେକ ଡିଏ, ଲାଂଚ ମାମଲା କରାଯାଉଥିବା ବେଳେ ରାଉରକେଲାରେ ଏସପି ଅଫିସ ହେବା ସତ୍ବେ ଏଠାରେ ଆଜିକୁ ୪ ବର୍ଷ ଭିତରେ ଗୋଟିଏ ହେଲେ ମାମଲା ହୋଇପାରିନାହିଁ । ଏଠାରେ ଥିବା ଭିଜିଲାନ୍ସ ଅଫିସକୁ ଉନ୍ନତ କରି ସରକାର ଏଠାରେ ଜଣେ ଏସପି ଦେଲେ, ଆବଶ୍ୟକୀୟ କର୍ମଚାରୀ ଓ ଗାଡି ମଧ୍ୟ ଦେଲେ, ହେଲେ ଆଖ ପାଖରେ କେତେବେଳେ ମାମଲାଟିଏ କରିଦେଇ ବାବୁ ମାନେ ମାସିକିଆ ସରକାରୀ ଦରମା ଓ ମାସିକିଆ ଭତା ନେଇ ଆରାମରେ ଶୋଇଥିବା ବେଳେ ରାଉରକେଲା ସରକାରୀ ଅଫିସ ଗୁଡିକରେ ଲାଂଚ କାରବାର ଚରମ ସୀମାରେ ପହଁଚିଲାଣି । ଯଦି କେବେ କେହି ଏନେଇ କହିଲା ତାକୁ ଉତର ଆସୁଛି, ଗୋଟିଏ ମାମଲା ଦେଉ ନାହାନ୍ତି, ଆମେ ଧରିବୁ, ନଚେତ କୁହାଯାଉଛି ଉପରୁ ଆଦେଶ ନଆସିଲେ କିଛି କରିହେବନି। ଯାହାଦ୍ଵାରା କାମ ନକରି ଆରାମରେ ରୋଜଗାର କରି ରାଉରକେଲାରେ ସମୟ କାଟିବା ଲାଗି ହୋଇଥିବା ମହତ ଉଦ୍ଦେଶ୍ୟ ପଦାରେ ପଡୁଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଲେ ମଧ୍ୟ ଉପର ବାବୁ ମାନେ ନୀରବ। ଫଳରେ ରାଉରକେଲା ଭିଜିଲାନ୍ସ ଏକ ପ୍ରକାର କୋମା ଅବସ୍ଥାରେ ପହଁଚିଛି । ରାଉରକେଲା ମହାନଗର ନିଗମରେ ରାତି ଦିନ ଲାଂଚ କାରବାର ଖୋଲା ଖୋଲି ଚାଲିଥିବା ବେଳେ ଭିଜିଲାନ୍ସ ଆଜି ଯାଏ ତାର ଇତିହାସରେ ଗୋଟାଏ ହେଲେ ମାମଲା ରୁଜ୍ଜୁ କରିପାରି ନାହିଁ । ପାଖରେ ରହିଛି ପୁର୍ତ ବିଭାଗ ଅଫିସ। ଏ ଅଫିସରେ ସକାଳୁ ସଂଧ୍ୟା ଯାଏ ନଗଦ ଲାଂଚ କାରବାର ଚାଲିଥିବା ଅଭିଯୋଗ ହେଉଛି। ଏଠି ମଧ୍ୟ ଭିଜିଲାନ୍ସ ହାତ ମାରିପାରିନାହିଁ। ମାପ ଓଜନ ବିଭାଗ ଏଠାକାର ବାବୁ ସପ୍ତାହ ୧୫ ଦିନରେ ଆସି ମାସିକିଆ ବଟୀ ଆଦାୟ କରି ବସରେ ଭୁବନେଶ୍ଵର ଫେରୁଥିବା ଅଭିଯୋଗ ହେଉଛି, ସେଠି ମଧ୍ୟ ଭିଜିଲାନ୍ସ ହାତ ମାରିପାରୁନାହିଁ । ଫାକ୍ଟ୍ରୀ ବୟଲର ବିଭାଗର ବାବୁ ମାନେ ଭାବି ସାରିଛନ୍ତି ଏଠି ଭିଜିଲାନ୍ସ ନାହିଁ । ଆର ଆଇ, ତହସିଲ. କୋଇଡା ରାଉରକେଲା ଖଣି ବିଭାଗ ଅଫିସ, ଆରଟିଓ ଅଫିସ, ଡ୍ରଗ୍ ଇନ୍ସପେକ୍ଟର ଅଫିସ ଭଳି ନିୟମିତ କାମ ରହୁଥିବା ଅଫିସ ଗୁଡିକରେ ବ୍ୟାପକ ଲାଂଚ କାରବାର ଚାଲିବା ସହ ବାବୁ ମାନଙ୍କ ଠାରୁ ଅଧିକାରୀ ମାନେ ଭୁବନେଶ୍ଵର, ରାଉରକେଲା, କଟକରେ ଘରଦ୍ଵାର କିଣି ମାଲାମାଲ, କିନ୍ତୁ ଭିଜିଲାନ୍ସ ବାଲାଙ୍କ ଆଖିକୁ ଏସବୁ ଦେଖାଯାଉନାହିଁ ।
ଏତ ଗଲା ସରକାରୀ ଅଫିସ, ରାଉରକେଲାର ଦୁଧିଆଳି ଥାନା ଯଥା, ବ୍ରାହ୍ମଣୀ ତରଙ୍ଗ, ଟାଙ୍ଗରପାଲ୍ଲୀ, ପ୍ଲାଟଂସାଇଡ, ଉଦିତନଗର, ରଘୁନାଥପାଲ୍ଲୀ ଥାନା ଗୁଡିକରେ ପୋଷ୍ଟିଂ ଲାଗି ଅନେକ ପ୍ରତିଯୋଗିତା, ଉପରେ ମାଲ ଖର୍ଚ୍ଚ କରି ମାସିକିଆ ଫିକ୍ସ ହେଲେ କୁଆଡେ ଏସବୁ ଥାନାରେ ରହି ବେଶ ଦୁଇପଇସା ରୋଜଗାର କରିହୁଏ । ଏ ସବୁ ଥାନାରେ କଳକାରଖାନା ବାଲାଙ୍କ ମାସିକିଆ ସାଙ୍ଗକୁ ନିଶା ବେପାରୀ ଠିକାଦାର ଆପେ ଆପେ ଆସି ଦେଖା କରି ଯାଆନ୍ତି, ତେଣୁ ବାବୁ ମାନଙ୍କର ୨/୩ ବର୍ଷରେ ବେଶ ଦୁଇପଇସା କୁଆଡେ ରୋଜଗାର ହୋଇପାରେ । ଅନେକ ଆସି ମାଲାମାଲ ହୋଇ ଗଲେ, ହେଲେ ନିଜ ଜାତି ଭାଇ ବୋଲି ଭିଜିଲାନ୍ସ ଆଖିକୁ ତାହା ଦେଖାଯାଉନଥିବା କୁହାଯାଉଛି । ଏଭଳି ନୀରବତା ଲାଗି ଲୋକଙ୍କର ମଧ୍ୟ ଭିଜିଲାନ୍ସ ଉପରୁ ଭରଷା ତୁଟିବାରେ ଲାଗିଛି, ତେଣୁ ସିବିଆଇ ଭଳି ଭିଜିଲାନ୍ସକୁ ତତ୍ପର କରି ଲୋକଙ୍କୁ ସେବା ଯୋଗାଇବାକୁ ଦାବି ହେଉଛି ।