ବଲାଙ୍ଗିର, ରାଜ୍ୟସଭା ସାଂସଦ ନିରଞନ ବିଶି ଗତକାଲି ମୁରିବାହାଲ ଗସ୍ତରେ ଯାଇ ପ୍ରଥମେ ଚଲକି ହାଇସ୍କୁଲର ବାଳିକା ହଷ୍ଟେଲକୁ ତୁରନ୍ତ କାର୍ଯ୍ୟକାରି କରିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜ ପରିଦର୍ଶନ କରିଥିଲେ ଏବଂ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣର ଆବଶ୍ୟକ ଥିବାରୁ ଉଭୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜରେ ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରବାସ ନିର୍ମାଣର ପ୍ରତିଶୃତି ଦେଇଥିଲେ। ଏହାପରେ ସେ ମୁରିବାହାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସୁବିଧା ଅସୁବିଧା ଦେଖିଥିଲେ। ଏହାପରେ ମୁରିବାହାଲ କଲ୍ଯାଣ ମଣ୍ଡପ ଠାରେ ଆଦିବାସୀ କଳା ପ୍ରଚାର ପ୍ରସାର କଳାକେନ୍ଦ୍ରର ଶୁଭ ଉଦ୍ଘାଟନରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଦିବାସୀ କଳା ସଂସ୍କୁତି ବିଷୟରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, କଳାକାର ସାଜିଦ ମହମ୍ମଦ, ମଧୁସୁଦନ ମହାନନ୍ଦ ଯୋଗଦେଇ କଳାକେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଦୀପକ ରଞନ ବାଗ ପରିଚାଳନା କରିଥିବା ବେଳେ କଳାକାର ସୁଦର୍ଶନ ଦୀପ ଏହି କଳାକେନ୍ଦ୍ର ପ୍ରତିଷ୍ଠା ନେଇ ଅଞ୍ଚଳର କଳାକାର ମାନଙ୍କ ଉନ୍ନତି ସାଧନା ନିମନ୍ତେ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଥିବାର ଜଣାଯାଏ।
ଏହି କାର୍ଯ୍ୟକ୍ରମରେ ମୁରିବାହାଲ ରାଜ୍ୟସଭା ସାଂସଦ ନୋମିନି ସିଦ୍ଧେଶ୍ଵର ଦାସ, ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜୀବ କୁଆଁର, ଦିଲୀପ ପଶାୟତ, ଗୋବିନ୍ଦ ବଘାର, ଭୁବନ ମାଝୀ, ଖୁସିରାମ ଧାରୁଆ, ଧନୁ ଧାରୁଆ, ଯୁଧିଷ୍ଠିର ମାଝୀ, ପତ୍ରଙ୍ଗି ମାଝୀ, କ୍ଷୀର ଭୋଇ, ସରସ୍ବତୀ ଭୋଇ, ଲିଙ୍ଗରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।